ଭାରତ ପୋଛି ନେଲା ସବୁ ଏଫ୍‌ଆଇଏଚ୍‌ ଶ୍ରେଷ୍ଠ ପୁରସ୍କାର

ଲୁସାନେ: ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ବାର୍ଷିକ ପୁରସ୍କାରରେ ଭାରତ ବାଜିମାତ୍‌ କରିଛି। ବୁଧବାର ଏଫ୍‌ଆଇଏଚ୍‌ର ସବୁ ବର୍ଗର ଶ୍ରେଷ୍ଠ ପୁରସ୍କାର ଭାରତ ପୋଛି ନେଇଛି। ଜାତୀୟ ସଂଘଗୁଡ଼ିକ (୫୦ ପ୍ରତିଶତ) ସହିତ ପ୍ରଶଂସକ ଓ ଖେଳାଳି (୨୫ ପ୍ରତିଶତ) ଏବଂ ଗଣମାଧ୍ୟମ (୨୫ ପ୍ରତିଶତ) ଦ୍ବାରା ମତଦାନ ପ୍ରଣାଳିରେ ବିଜେତାଙ୍କ ନାମ ବଛା ଯାଇଥିଲା। ଏଥିରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଛି। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ଏବଂ ଚତୁର୍ଥ ସ୍ଥାନ ପାଇଥିବା ମହିଳା ଦଳର ମୋଟ ୫ ଖେଳାଳିଙ୍କ ସହିତ ଉଭୟ ଦଳର ମୁଖ୍ୟ ପ୍ରଶିକ୍ଷକ ସର୍ବାଧିକ ଭୋଟ ପାଇ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପୁରସ୍କାର ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ହର୍‌ମନପ୍ରୀତ୍‌ ସିଂହ ଏବଂ ଗୁର୍‌ଜିତ୍‌ କୌର ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିନେଇଥିଲା ବେଳେ ପୁରୁଖା ଗୋଲ୍ ରକ୍ଷକ ପିଆର୍‌ ଶ୍ରୀଜେସ୍‌ ଓ ସବିତା ପୁନିଆ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ହାତେଇ ନେଇଛନ୍ତି। ଏହା ବ୍ୟତୀତ ଯୁବ ଷ୍ଟ୍ର‌ାଇକର ଶର୍ମିଳା ଦେବୀ (ମହିଳା) ଏବଂ ବିବେକ ସାଗର ପ୍ରସାଦ (ପୁରୁଷ) ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ଭାରତର ଉଭୟ ଡ୍ରାଗ୍‌ଫ୍ଲିକ ଯୋଡ଼ି ହର୍‌ମପ୍ରୀତ୍‌ ଓ ଗୁର୍‌ଜିତ ଟୋକିଓ ଅଲିମ୍ପିକ୍ସରେ ନିଜ ନିଜ ଦଳ ପକ୍ଷରୁ ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ରହିଥିଲେ। ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ଏବଂ ମହିଳା ଦଳର ମୁଖ୍ୟ ପ୍ରଷିକ୍ଷକ ଜୋଏର୍ଡ ମାରିନ୍‌ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ସର୍ବାଧିକ ଭୋଟ୍‌ ପାଇଥିଲେ। ରିଡ୍‌ ଏବେ ବି ଭାରତୀୟ ଦଳ ସହ ରହିଥିଲା ବେଳେ ମାରିନ୍‌ ଟୋକିଓ ଅଲିମ୍ପିକ୍ସ ପରେ ପଦତ୍ୟାଗ କରିଛନ୍ତି। ପୁରସ୍କାର ବିଜେତାମାନଙ୍କୁ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମ୍‌ବାମ୍‌ ଅଭିନନ୍ଦନ ଜଣାଇଛନ୍ତି। ଏହା ଭାରତୀୟ ହକି ଏବଂ ବିଜେତା ଘୋଷଣା କରିଥିବା ଆମର ଭାରତୀୟ ପ୍ରତିନିଧିଙ୍କ ପାଇଁ ବହୁତ ବଡ଼ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ପରେ ଉଭୟ ପୁରୁଷ ଓ ମହିଳା ଦଳକୁ ସାରା ବିଶ୍ବରେ ଭାରତୀୟ ପ୍ରଶଂସକମାନେ ସମର୍ଥନ ଦେଇଛନ୍ତି ବୋଲି ସେ କହିଛନ୍ତି।
ଗତବର୍ଷ ସାରା ବିଶ୍ବରେ କରୋନା ମହାମାରୀ ଯୋଗୁଁ ଆନ୍ତର୍ଜାତିକ ସୂଚୀ ବାଧାପ୍ରାପ୍ତ ହୋଇଥିବାରୁ ଏଫ୍‌ଆଇଏଚ୍‌ ତାରକାଙ୍କ ପୁରସ୍କାର ବାତିଲ ହୋଇଯାଇଥିଲା। ଫଳରେ ୨୦୨୦ ଜାନୁଆରିରୁ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟନ୍ତ ଅବଧିକୁ ବିଚାରକୁ ନେଇ ଚଳିତ ବର୍ଷର ପୁରସ୍କାର ବ୍ୟବସ୍ଥା କରାଯାଇଥିଲା ବୋଲି ଆନ୍ତର୍ଜାତିକ ହକି ମହାସଂଘ କହିଛି। ଏଥର ମତଦାନ ପ୍ରକ୍ରିୟା ଅଗଷ୍ଟ ୨୩ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖରେ ଶେଷ ହୋଇଥିଲା। ଏହି ପ୍ରକ୍ରିୟାରେ ନିଜ ନିଜର ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ପ୍ରତିନିଧିତ୍ବରେ ଜାତୀୟ ସଂଘ (୫୦ ପ୍ରତିଶତ), ପ୍ରଶଂସକ ଓ ଖେଳାଳି (୨୫ ପ୍ରତିଶତ) ଏବଂ ଗଣମାଧ୍ୟମ (୨୫ ପ୍ରତିଶତ) ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ସେଥିରେ ୪୨ ଶକ୍ତିଶାଳୀ ୟୁରୋପୀୟ ସଂଘଙ୍କ ମଧ୍ୟରୁ କେବଳ ୧୯ ସଂଘ ମତଦାନ ସାବ୍ୟସ୍ତ କରିଥିଲା ବେଳେ ଏସିଆର ମୋଟ ୩୩ ମଧ୍ୟରୁ ୨୯ ସଂଘ ଭୋଟ୍‌ ଦେଇଥିଲେ। ତେବେ ଏହି ମତଦାନ ପ୍ରକ୍ରିୟାରେ ମୋଟ ୭୯ ଜାତୀୟ ସଂଘ ଅଂଶଗ୍ରହଣ କରିଥିଲେ। ୟୁରୋପୀୟ ଏବଂ ଏସୀୟଙ୍କୁ ବାଦ୍‌ ଦେଲେ ଅନ୍ୟମାନଙ୍କ ମଧ୍ୟରେ ଆଫ୍ରିକାର ମୋଟ ୨୫ରୁ ୧୧, ଓସେନିଆର ମୋଟ ୮ରୁ ୩ ଏବଂ ପାନ୍‌ ଆମେରିକାର ମୋଟ ୩୦ରୁ ୧୭ ମତଦାନ ସାବ୍ୟସ୍ତ କରିଥିଲେ। ସଂଘମାନଙ୍କ ବ୍ୟତୀତ ରେକର୍ଡ ସଂଖ୍ୟକ ପ୍ରାୟ ୩୦୦,୦୦୦ ପ୍ରଶଂସକ ସେମାନଙ୍କ ମତଦାନ କରିଥିଲେ। ଯାହାକୁ କି ଏଫ୍‌ଆଇଏଚ୍‌ କଳ୍ପନା ବାହାର ଦର୍ଶାଇଛି।
ଭୋଟ ଗଣତି ପ‌ରେ ସବୁ ବର୍ଗରେ ଶ୍ରେଷ୍ଠ ପୁରସ୍କାର ପୋଛି ନେଇଥିବା ଭାରତ ପଛକୁ ବେଲ୍‌ଜିୟମ (ପୁରୁଷ) ଏବଂ ନେଦରଲାଣ୍ଡ୍‌ (ମହିଳା) ଖେଳାଳି ଦ୍ବିତୀୟରେ ରହିଛନ୍ତି। ଉଭୟ ବେଲ୍‌ଜିୟମ ଓ ନେଦରଲାଣ୍ଡ୍‌ କେବଳ ଅଲିମ୍ପିକ୍‌ ବିଜେତା ନୁହନ୍ତି, ସେମାନେ ମଧ୍ୟ ୨୦୨୦-୨୧ ଏଫ୍‌ଏଆଇଏଚ୍‌ ପ୍ରୋ-ଲିଗ୍‌ ଜିତିଥିଲେ। ବେଲ୍‌ଜିୟମ ଯୋଡ଼ି ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍‌ ଓ ଆର୍ଥର ଭାନ୍‌ ଡୋରେନ ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଖେଳାଳି ତାଲିକାରେ ଦ୍ବିତୀୟ ଓ ତୃତୀୟରେ ରହିଥିଲା ବେଳେ ଭିନ୍‌ସେଣ୍ଟ ଭାନାଶ୍ଚ (ବେଲ୍‌ଜିୟମ) ଦ୍ବିତୀୟ ଶ୍ରେଷ୍ଠ ଗୋଲ୍‌ରକ୍ଷକ ଏବଂ ସେନ୍‌ ମ୍ୟାକ୍‌ଲିଓଡ (ନ୍ୟୁଜିଲାଣ୍ଡ୍‌) ଦ୍ବିତୀୟ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଛନ୍ତି।
ମହିଳାଙ୍କ ମଧ୍ୟରେ ନେଦରଲାଣ୍ଡ୍‌ର ଇଭା ଦେ ଗୋଏଡେ ଏବଂ ଫ୍ରେଡ୍‌ରିକ୍‌ ମାଟ୍‌ଲା ବର୍ଷର ଶ୍ରେଷ୍ଠ ଖେଳାଳି ତାଲିକାରେ ଯଥା‌କ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିଲା ବେଳେ ଅଷ୍ଟ୍ରେଲିଆର ଆଲିସନ୍‌ ଆନନ୍ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ତାଲିକାରେ ଦ୍ବିତୀୟରେ ରହିଛନ୍ତି। ଗ୍ରେଟ୍‌ ବ୍ରିଟେନ୍‌ ଗୋଲ୍‌ରକ୍ଷକ ମେଡି ହିଞ୍ଚ୍‌, ଉଦୀୟମାନ ତାରକା ଫିଓନା କ୍ରାକ୍‌ଲେସ୍‌ ଏବଂ ପ୍ରଶିକ୍ଷକ ମାର୍କ ହାଗେର (ଅଷ୍ଟ୍ରେଲିଆ) ନିଜ ନିଜ ବର୍ଗରେ ତୃତୀୟ ପୁରସ୍କାର ପାଇଛନ୍ତି।
ବେଲ୍‌ଜିୟମର ଅସନ୍ତୋଷ
ଭାରତୀୟ ଖେଳାଳିମାନେ ଏଫ୍‌ଆଇଏଚ୍‌ ବାର୍ଷିକ ପୁରସ୍କାର ପୋଛି ନେଇଥିଲା ବେଳେ ଏହାକୁ ସହଜରେ ହଜମ କରିପାରିନି ହକି ବେଲ୍‌ଜିୟମ୍‌। ଅଲିମ୍ପିକ୍‌ ପୁରୁଷ ବିଜେତା ବେଲ୍‌ଜିୟମ୍‌ ମତଦାନ ପ୍ରକ୍ରିୟାକୁ ଅସ୍ବଚ୍ଛ ବୋଲି ଦର୍ଶାଇବା ସହ ମତଦାନରୁ ଅଧିକାଂଶ ସଂଘ ବିରତ ରହିବାକୁ ଏଫ୍‌ଆଇଏଚ୍‌ର ବିଫଳତା ବୋଲି କହି ପ୍ରତିବାଦ ଜଣାଇଛି। କେତେକ ଜାତୀୟ ସଂଘ କାହିକି ମତଦାନରେ ଅଂଶଗ୍ରହଣ କରିନଥିଲେ ସେନେଇ ତଦନ୍ତ କରାଯାଉ ବୋଲି ଦାବି କରିଛି ବେଲ୍‌ଜିୟମ। କୌଣସି ଅଲିମ୍ପିକ୍‌ ବିଜେତା ବର୍ଷର ଶ୍ରେଷ୍ଠ ପୁରସ୍କାର ନପାଇବାକୁ ନେଇ ପ୍ରଶ୍ନ ଉଠାଇବା ସହ ଆବଶ୍ୟକସ୍ଥଳେ ପୁରସ୍କାର ତାଲିକାର ସମୀକ୍ଷା କରିବାକୁ ମଧ୍ୟ ଦାବି କରିଛି। ଗୋଟିଏ ପଟେ ସ୍ବର୍ଣ୍ଣ ବିଜେତା ଦଳ ଏବଂ ସବୁ ବର୍ଗରେ ଏକାଧିକ ପ୍ରତିନିଧିତ୍ବ ସତ୍ତ୍ବେ କୌଣସି ଗୋଟିଏ ଶ୍ରେଷ୍ଠ ପୁରସ୍କାର ହାସଲ ନକରିବା ମତଦାନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ହକି ବେଲ୍‌ଜିୟମ୍‌ କହିଛି। ଆମେ ଏଫ୍‌ଆଇଏଚ୍‌ ସହ କାର୍ଯ୍ୟ କରିବୁ ଏବଂ ଭବିଷ୍ୟତରେ ସ୍ବଚ୍ଛ ମତଦାନ ପ୍ରଣାଳି କିପରି ସଂପନ୍ନ ହୋଇପାରିବ ସେନେଇ ନିଶ୍ଚିତ ହେବୁ ବୋଲି ହକି ବେଲ୍‌ଜିୟମ ଟ୍ବିଟ୍‌ କରିଛି। ଏଭଳି ଆବେଗ ବେଲ୍‌ଜିୟମ୍‌ ଦଳର ଅଫିସିଆଲ ହ୍ୟାଣ୍ଡଲରେ ମଧ୍ୟ ସେୟାର କରାଯାଇଛି। ଆମେ ପୂରା ନିଶ୍ଚିତ ଯେ ଏଥରର ମତଦାନ ପ୍ରକ୍ରିୟା ସ୍ବଚ୍ଛ ନଥିଲା। ଫଳରେ ପୁଣିଥରେ ଆମ ଖେଳର ଭାବମୂର୍ତ୍ତି ଓ ସାମର୍ଥ୍ୟ କଠିନ ସମୟର ସାମ୍‌ନା କରିଛି। ଏହା ଦୁଃଖଦାୟକ ବୋଲି ହକି ବେଲ୍‌ଜିୟମ କହିଛି।

Spread the love