କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା “ସନ୍ଦିପନୀ ଗୌରବ ମହର୍ଷି ସମ୍ମାନ- ୨୦୨୦”

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ମହର୍ଷି ସମ୍ମାନ । ଡ. ସାମନ୍ତଙ୍କୁ ଗୁଜରାଟ ପୋରବନ୍ଦରର ଭାରତୀୟ ସାଂସ୍କୃତିକ ସମ୍ବର୍ଦ୍ଧକ ଟ୍ରଷ୍ଟ ପକ୍ଷରୁ ସନ୍ଦିପନୀ ଗୌରବ ମହର୍ଷି ସମ୍ମାନ- ୨୦୨୦ ପ୍ରଦାନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଡ. ସାମନ୍ତଙ୍କୁ ସମ୍ମାନଜନକ ମହର୍ଷି ସମ୍ମାନ ପ୍ରଦାନ କରାଯାଇଛି । ଗୁଜୁରାଟ ବିଧାନସଭା ବାଚସ୍ପତି ନିମାବେନ ଆଚାର୍ଯ୍ୟ, ଭାରତର ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ସାଧୁସନ୍ଥଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଡ. ସାମନ୍ତଙ୍କ ଉତ୍ସର୍ଗୀକୃତ ଜୀବନ, ସମାଜସେବା ଓ ଆଧ୍ୟାତ୍ମିକତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଡ. ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଡ. ବରୁଣ ସୁଥରା ସମ୍ମାନଜନକ ମହର୍ଷି ସମ୍ମାନ ଗ୍ରହଣ କରିଥିଲେ। ଭାରତୀୟ ସାଂସ୍କୃତିକ ସମ୍ବର୍ଦ୍ଧକ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଡ. ସାମନ୍ତ ଟ୍ରଷ୍ଟର ପ୍ରତିଷ୍ଠାତା ଭାଇଶ୍ରୀ ରମେଶ ଭାଇ ଓଝାଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।ପ୍ରତିବର୍ଷ ସନ୍ଦୀପନି ବିଦ୍ୟାନିକେତନ ପକ୍ଷରୁ ଭାରତର ଋଷି ପରମ୍ପରା ଅନୁଯାୟୀ ୧୯୯୬ ମସିହାରୁ ଦେଶର ବିଶିଷ୍ଟ ସାଧୁସନ୍ଥ, ସଂସ୍କୃତ ବିଦ୍ୱାନ, ଚିନ୍ତାନାୟକ ଓ ସମାଜସେବୀଙ୍କୁ ଦେବର୍ଷି, ବ୍ରହ୍ମର୍ଷି, ରାଜଶ୍ରୀ ଓ ମହର୍ଷି ସମ୍ମାନରେ ଅଳଂକୃତ କରାଯାଇ ଆସୁଛି । ଚଳିତବର୍ଷ ଡ. ସାମନ୍ତଙ୍କ ବ୍ୟତୀତ ଶ୍ରୀମତୀ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀଙ୍କୁ ରାଜର୍ଷି ସମ୍ମାନ, ପୁନେସ୍ଥିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜଙ୍କୁ ଦେବର୍ଷି ସମ୍ମାନ ଓ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ରାଜାରାମ ଶୁକ୍ଳାଙ୍କୁ ବ୍ରହ୍ମର୍ଷି ସମ୍ମାନ ପ୍ରଦାନ କରାଯାଇଥିଲା ।

Spread the love