କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ସିଏସକେ ଚାମ୍ପିଅନ୍

ଚତୁର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେଲା ଚେନ୍ନାଇ । ଆଇପିଏଲର ୧୪ ତମ ସଂସ୍କରଣରେ ବିଜୟର ତାଜ୍ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ୨୭ ରନରେ ହରାଇ ଚତୁର୍ଥଥର ଲାଗି ଚେନ୍ନାଇ ଆଇପିଏଲ୍ ଚାମ୍ପିଅନ୍ ହୋଇଛି। ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ୍ ରାଇଡର୍ସ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ୧୯୨ ରନ୍ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକୱାଡ ୩୨ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୮୬, ରବିନ ଉତ୍ଥାପା ୩୧ ଓ ମୋଇନ୍ ଅଲ୍ଲୀ ୩୭ ରନ୍ କରି କୋଲକାତାକୁ ୧୯୩ ରନର ଟାର୍ଗେଟ୍ ଦେଇଥିଲେ ପ୍ରଥମ ୧୦ ଓଭରରେ କୋଲକାତା ଭଲ ବ୍ୟାଟିଂ କରିଥିଲା। ୧୦.୪ ଓଭରରେ ଦଳୀୟ ସ୍କୋର ୯୧ ରନ୍ ହୋଇଥିବା ବେଳେ ବ୍ୟକ୍ତିଗତ ସ୍କୋର ୫୦ ରନ୍ କରି ଆଉଟ୍ ହୋଇଥିଲେ ଭେଙ୍କଟେଶ ଆୟାର । ପରବର୍ତ୍ତୀ ୨ଟି ବଲରେ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଥିଲେ ନୀତିଶ ରାଣା । ୧୧.୩ ଓଭରରେ ସୁନୀଲ ନାରିଣେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଖସି ଚାଲିଥିଲା କୋଲକାତା ନାଇଟ୍ ରାଇଡର୍ସର ଗୋଟିଏ ପରେ ଗୋଟିଏ ୱିକେଟ୍ । ୨୦ ଓଭର ସୁଦ୍ଧା ଦଳ ୯ ୱିକେଟ୍ ହରାଇ ୧୬୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଚେନ୍ନାଇ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୨୭ ରନରେ ଜିତି ନେଇ ଟାଇଟଲ୍ ହାତେଇଛି ।

୨୦୧୨ରେ ଶେଷଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହୋଇଥିବା କେକେଆରର ଚାମ୍ପିଅନ୍ ଆଶା ୨୦୨୧ରେ ବି ମଉଳି ଯାଇଛି । ଚତୁର୍ଥ ଥର ପାଇଁ ଧୋନିଙ୍କ ନେତୃତ୍ୱରେ ପୁଣି ଚାମ୍ପିଅନ୍ ହୋଇଛି ଚେନ୍ନାଇ। ଗତ ଆଇପିଏଲ୍ ସଂସ୍କରଣରେ ଲିଗ୍ ପର୍ଯ୍ୟାୟରୁ ଚେନ୍ନାଇ ବିଦାୟ ନେଇଥିଲା । ପୂର୍ବରୁ ଚେନ୍ନାଇ ଓ କୋଲକାତା ମଧ୍ୟରେ ୨୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଚେନ୍ନାଇର ପଲ୍ଲା ଭାରି ରହିଛି । ଚେନ୍ନାଇ ୧୬ଟି ମ୍ୟାଚରେ ବାଜି ମାରିଥିବା ବେଳେ କୋଲକାତା ମାତ୍ର ୮ଟି ମ୍ୟାଚ୍ ଜିତିଛି ।

Spread the love