ଦେଶ ଲାଗି ନ୍ୟାୟିକ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ, ଅସ୍ଥାୟୀ ଓ ଅନିୟୋଜିତ ଉପାୟରେ ହେଉଛି ରକ୍ଷଣାବେକ୍ଷଣ? CJI

ମୁମ୍ବାଇ ୨୩।୧୦ : ବିଧି ଦ୍ୱାରା ଶାସିତ କୌଣସି ସମାଜ ଲାଗି ନ୍ୟାୟାଳୟ ଏକ ଜରୁରି ଆବଶ୍ୟକତା। ଏକ ପ୍ରଭାବଶାଳୀ ନ୍ୟାୟପାଳିକା ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ। ଏଥିଲାଗି ବିଚାରବିଭାଗୀୟ ଭିତ୍ତିଭୂମି ଅତ୍ୟନ୍ତ ଜରୁରି। ତେବେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁଧାର ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଆମ ଦେଶରେ ଅସ୍ଥାୟୀ ଓ ଅନିୟୋଜିତ ଉପାୟରେ ହେଉଥିବାର  ପ୍ରଧାନ ବିଚାରପତି (ସିଜେଏଆଇ) ଏନ.ଭି.ରମନ୍ନା ଶନିବାର କହିବା ସହ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି।

ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚର ଆନେକ୍ସ ବିଲ୍ଡିଂ ଉଦଘାଟନ ଅବସରରେ  ସିଜେଆଇ ଏହା କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଜେଆଇ କହିଛନ୍ତି ଯେ ଆଜିର ସଫଳତାରେ ଆମେ ବର୍ତ୍ତମାନର ପ୍ରସଙ୍ଗକୁ ଆଖି ମୁଦି ଦେଇପାରିବାନି। ଖାସ ଏଥିଲାଗି ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି। ନ୍ୟାୟାଳୟମାନଙ୍କରେ ଆବଶ୍ୟକ ସୁବିଧା ନାହିଁ। ଜରାଜୀର୍ଣ୍ଣ ବିଲ୍ଡିଂରେ ନ୍ୟାୟାଳୟ ଚାଲୁଛି। ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚ ସୁଧାରିବା ଲାଗି ଏହାର ଭିତ୍ତିଭୂମିର ବିକାଶ ନିତ୍ୟାନ୍ତ ଜରୁରି। ହେଲେ ଏହା ଏବେବି ଅନିୟୋଜିତ ଓ ଅସ୍ଥାୟୀ ଉପାୟରେ ଚାଲିଛି ବୋଲି କହିଛନ୍ତି।

ରମନ୍ନା କହିଛନ୍ତି ଯେ ଏହି ଯେଉଁ ଭବନର ଆଜି ଉଦଘାଟନ ହେଉଛି ଏହାର ପରିକଳ୍ପନା ୨୦୧୧ ମସିହାରେ କରାଯାଇଥିଲା। ଏତିକି କାମକୁ ଯଦି ୧୦ ବର୍ଷ ଅପେକ୍ଷା କରାଯାଏ ଏହା ବାସ୍ତବିକ ଚିନ୍ତାଜନକ। ଏହାକୁ ଏକ ଗୁରୁତର ସମସ୍ୟା ଓ ସ୍ୱାଧୀନତା ପରେ ଆମ ବିଚାର ବ୍ୟବସ୍ଥାର ଭିତ୍ତିଭୂମି ଯୋଜନାକୁ ଜାବୁଡି ରଖିଥିବା ସିଜେଆଇ କହିଛନ୍ତି। ଭାରତରେ ନ୍ୟାୟାଳୟଙ୍କ ଲାଗି ଭିତ୍ତି ଭୂମି ଏବେବି ଏକ ପରିକଳ୍ପନା ହୋଇ ରହିବା ବାସ୍ତବିକ ଚିନ୍ତାଜନକ ବୋଲି ସେ କହିଛନ୍ତି।

Spread the love