ସୀମାନ୍ତ ଜଙ୍ଗଲରେ ଗୁଳି ବିନିମୟ, ୩ ମାଓବାଦୀ ନିହତ !

ମାଲକାନଗିରି ୨୫।୧୦: ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ଗୁଳି ବିନିମୟ ହୋଇଛି । ଏଥିରେ ତିନି ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଜବାନ ମାନେ ତିନୋଟି ଅତ୍ୟାଧୁନିକ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରଣ ସାମଗ୍ରୀ ଜବତ କରିଛନ୍ତି ।

ଖବର ଅନୁଯାୟୀ, ମୁଲୁଗୁ ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ତେଲେଙ୍ଗାନା ପୋଲିସର ଗ୍ରେହଣ୍ଡ ଜବାନ ଓ ଛତିଶଗଡ ପୋଲିସର ଡିଆରଜି ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଜବାନଙ୍କୁ ଦେଖି ନକ୍ସଲ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଜବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ନକ୍ସଲ ମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିବା ବେଳେ ଜବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ଜଣାପଡିଛି ।

Spread the love