ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ପାଇଁ ଦାବି, ବୁଧବାର ବସିବ ବୈଠକ

ପୁରୀ, ୨୫/୧୦: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ପୁରୀ ପୌରାଞ୍ଚଳ ବାସୀଙ୍କୁ ପ୍ରବେଶ ଅନୁମତି ପ୍ରଦାନ ପାଇଁ ଦାବି ଜୋର ଧରିଛି। କରୋନା କଟକଣା ଯୋଗୁଁ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଥିବା ବେଳେ ପୂର୍ବ ଭଳି ସବୁ ଦ୍ୱାରରେ ପୁରୀବାସୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି। ଅନ୍ୟପଟେ ଏ ସଂକ୍ରାନ୍ତରେ ଆସନ୍ତା ବୁଧବାର ଦିନ ବୈଠକ କରାଯାଇ ନିଷ୍ପତି ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସହରର ୧୫ଟି ସଂଗଠନ। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ କରୁଛନ୍ତି l ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଉଥିବା ବୃଦ୍ଧ ବୃଦ୍ଧାମାନେ ସବୁଠୁ ଅଧିକ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି। ସେହିପରି ମହାପ୍ରସାଦ ପାଇବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ୧୫ଟି ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ମିଳିତ ଦାବିପତ୍ର ଦିଆଯିବା ସହ ପୂର୍ବ ଭଳି ଚାରିଦ୍ୱାରରେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଦେବା ପାଇଁ ଦାବି ଜୋର ଧରିଛି।

ସାଧାରଣତଃ ପୁରୀ ସହର ବାସି ଦୈନଦିନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଭିନ୍ନ ପୂଜା ପର୍ବାଣୀ ଏବଂ ବିଶେଷ ଦିନ ମାନଙ୍କରେ ଅବଢ଼ା ନେଇଥାନ୍ତି। କିନ୍ତୁ ସିଂହଦ୍ଵାର ଦେଇ କେବଳ ପ୍ରବେଶ ପାଇଁ ପ୍ରଶାସନ କଟକଣା କରିଥିବାରୁ ସହରବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନ କାର୍ତ୍ତିକ ମାସରେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଇଥିବା ସେବାୟତ କହିଛନ୍ତି। ତେବେ ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

Spread the love