ଯୁବ ଛାତ୍ର ଶାଖାର ପ୍ରଶିକ୍ଷଣ ଶିବିର

ପୁରୀ, ୨୬/୧୦: ଆଗକୁ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସଙ୍ଗଠନକୁ ମଜବୁତ କରିବା ପାଇଁ ରଣନୀତି ଆରମ୍ଭ କରିଦେଇଛି ବିଜେଡି। ବିଜେଡି ଯୁବ ଛାତ୍ର ଶାଖାର ପ୍ରଶିକ୍ଷଣ ଶିବିର ପୁରୀରେ ଆରମ୍ଭ ହୋଇଛି । ରାଜ୍ୟର ୩୫ଟି ସାଙ୍ଗଠନିକ ଜିଲ୍ଲା ଓ ୩୧୪ଟି ବ୍ଲକର କର୍ମକର୍ତ୍ତାମାନେ ଏହି ଶିବିରରେ ସାମିଲ ହୋଇ ସଙ୍ଗଠନକୁ ତୃଣମୃଳ ସ୍ତରରୁ ମଜବୁତ କରିବା ପାଇଁ ଶପଥ ନେଇଛନ୍ତି।

ବିଜେଡି ସଙ୍ଗଠନକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ଆରମ୍ଭ ହୋଇଛି ପ୍ରାୟସ। ଆଗକୁ ପୈାର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଯୁବ ଛାତ୍ରମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ଆରମ୍ଭ କରିଛି ବିଜେଡି। ପୁରୀ ବାଲିଘାଇ ନିକଟରେ ଆୟୋଜିତ ହୋଇଛି ଯୁବ ବିଜେଡି ଓ ଛାତ୍ର ମାନଙ୍କର ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ଏହି ଶିବିରରେ ରାଜ୍ୟର ୩୫ଟି ସାଙ୍ଗଠନିକ ଜିଲ୍ଲା, ୩୧୪ଟି ବ୍ଲକ ଓ ୧୧୯ଟି ପୈରାଞ୍ଚଳ କର୍ମକର୍ତ୍ତାମାନେ ଭାଗ ନେଇଛନ୍ତି। ଆଜି ଯୁବକମାନଙ୍କର ପ୍ରଶିକ୍ଷଣ ଶିବିର ଥିବା ବେଳେ ଆସନ୍ତାକାଲି ଛାତ୍ର ମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ‌।

ଏହି ଶିବିରରେ ରାଜ୍ୟ ବିଜେଡିର ପ୍ରମୁଖ ନେତୃବୃନ୍ଦମାନେ ଯୋଗଦେଇ ଯୁବ ଛାତ୍ର ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଦେବୀ ମିଶ୍ର, ଅତୁନ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ବ୍ୟମକେଶ ରାୟ ପ୍ରମୁଖ ଯୋଗଦେଇ ବିଜେଡି ସରକାରର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ସଙ୍ଗଠନକୁ ମଜବୁତ କରିବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ବିଶ୍ବାସ ଭାଜନ ହେବା ପାଇଁ ପରାମର୍ଶ ଦେଇଥିଲେ।

Spread the love