ରସୁଲଗଡ ଛକରେ ଲଜ୍ଜା : ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ରକ୍ତାକ୍ତ କଲା ଯୁବକ

ଭୁବନେଶ୍ୱର ୨୯/୧୦: ମଞ୍ଚେଶ୍ୱର ଥାନା ରସୁଲଗଡ଼ ଛକ ଉପରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ଯୁବତୀଙ୍କୁ ଗୋଡାଇ ଗୋଡାଇ ଦୁଷ୍କର୍ମ ଉଦ୍ୟମ କରିବା ସହ ରକ୍ତାକ୍ତ କରିଛି ଜଣେ ଯୁବକ । ଘଟଣା ଘଟିଛି ରାତି ସାଢ଼େ ୧୦ଟା ବେଳେ । ଥାନା ଠାରୁ ୫ ଶହ ଓ ଫାଣ୍ଡି ଠାରୁ ୧୦୦ ମିଟର ଦୂରରେ । ପୁଲିସ୍‌ ଏ ବିଷୟରେ ସବୁ ଜାଣିଛି । ହେଲେ ମାମଲାକୁ ଚାପି ଦେବାକୁ ଉଦ୍ୟମ କରିଛି । ସବୁଠାରୁ ଦୁଃଖର ବିଷୟ ହେଲା ଏହି ଜଘନ୍ୟକାଣ୍ଡକୁ ଲୋକମାନେ ଦେଖୁଥିଲେ । ହେଲେ କେହି ଯୁବତୀଙ୍କୁ ଉଦ୍ଧାର କରିନଥିଲେ ।

ମଞ୍ଚେଶ୍ୱର ଥାନାକୁ ଲାଗି ରହିଛି ଶାହି ଏକ୍ସ୍‌ପୋର୍ଟ ନାମକ ଏକ ସୂତା କମ୍ପାନୀ । ସେଠାରେ ୨ ହଜାରରୁ ଅଧିକ ଯୁବତୀ ଓ ମହିଳା କାମ କରନ୍ତି । ମଙ୍ଗଳବାର ରାତି ୧୦ ଟାରେ ଡ୍ୟୁଟି ସରିବା ପରେ କିଛି ଯୁବତୀ ଓ ମହିଳା ଘରକୁ ଫେରୁଥିଲେ । ରସୁଲଗଡ଼ ଛକ ନିକଟରେ ଜଣେ ଯୁବକ ଜାଣିଶୁଣି ଯୁବତୀଙ୍କୁ ବାଇକ୍‌ରେ ଧକ୍କା ଦେଇଥିଲା । ଯୁବତୀ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ବାଇକ୍‌ରୁ ଓହ୍ଲାଇ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ସେହିଠାରେ ମାଡି ବସିଥିଲା । ଏହା ଦେଖି ବାଟରେ ଯାଉଥିବା ଅନ୍ୟ ଯୁବତୀମାନେ ଭୟରେ ଧାଇଁ ପଳାଇ ଥିଲେ । ସେପଟେ ଯୁବତୀ ଜଣଙ୍କ କୌଶଳକ୍ରମେ ଯୁବକ କବଳରୁ ଖସି ଯାଇ ପାଲାମଣ୍ଡପ ନିକଟରେ ଥିବା ଏକ ମନ୍ଦିର ଭିତରେ ପଶି ଯାଇଥିଲେ । ହେଲେ ଯୁବକ ଜଣଙ୍କ ମନ୍ଦିର ଭିତରେ ପଶି ଯୁବତୀଙ୍କୁ ଅସଦାଚରଣ କରିବା ସହ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା । ଦୀର୍ଘ ୧୫ ମିନିଟ୍‌ରୁ ଅଧିକ ସମୟ ଧରି ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲା । ଯୁବତୀ ଜଣଙ୍କ ଚିତ୍କାର କରୁଥିଲେ । ହେଲେ କେହି ତାଙ୍କୁ ଉଦ୍ଧାର କରୁନଥିଲେ । ଅନ୍ୟ ଜଣେ ଯୁବତୀ ପୁଲିସ୍‌କୁ ଫୋନ କରିଥିଲେ । ପିସିଆର ୨୦ ମିନିଟ୍‌ ପରେ ଘଟଣାସ୍ଥଳରେ ପହଞ୍ଚିଲା । ସେତେବେଳେକୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଚମ୍ପଟ ମାରିସାରିଥିଲା ।

ପୁଲିସ୍‌ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ପରେ ଜାଣିବାକୁ ପାଇଲା ଯେ ଯୁବକ ଜଣଙ୍କ ରସୁଲଗଡ଼ ଅଞ୍ଚଳର । ତେବେ ପୁଲିସ୍‌ ଯୁବତୀଙ୍କୁ ସହଯୋଗ କରିବା ବଦଳରେ ଆଇନର ପାଠ ପଢ଼ାଇଥିଲା । ଏମିତି କେସ୍‌ କଲେ ଜୀବନ ବରବାଦ ହେବ ଚାକିରି ଚାଲିଯିବ । ରହିବାକୁ ହଷ୍ଟେଲ୍‌ ମିଳିବ ନାହିଁ… । ଥାନାକୁ ଆସ ବୁଝାସୁଝା କରିବା । ହେଲେ ଯୁବତୀ ଜଣଙ୍କ ପୁଲିସ କଥାରେ ରାଜି ହୋଇ ନଥିଲେ । ଥାନାରେ ଏତଲା ଦେଇଥିଲେ । ମାତ୍ର ପୁଲିସ୍‌ ଠାରୁ କୌଣସି ସହଯୋଗ ନମିଳିବାରୁ ସେ ଭୟରେ ଘରକୁ ଚାଲି ଯାଇଥିଲେ । ତେବେ ଏ ବିଷୟରେ ଜୋନ୍‌ ଏସିପି ଓ ଥାନା ଆଇଆଇସି ମୁହଁ ଖୋଲିବାକୁ ନାରାଜ । ଆଶ୍ଚର୍ଯ୍ୟ କଥା ହେଉଛି ଏତେ ବଡ଼ ଘଟଣା ସଂପର୍କରେ ଥାନା ଅଧିକାରୀ କମିଶନର କି ଡିସିପିଙ୍କୁ ବି ଜଣାଇ ନାହାନ୍ତି । ଏନେଇ ରସୁଲଗଡ଼ ଛକରେ ଥିବା ବ୍ୟବସାୟୀମାନେ କହିଛନ୍ତି, କିଛି ଯୁବକ ସବୁବେଳେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗୀତ କରିବା ସହ ଅସଦାଚରଣ କରୁଛନ୍ତି । ହେଲେ ଲୋକ ଲଜ୍ୟା ଭୟରେ କେହି ଥାନାରେ ଏତଲା ଦେଉ ନାହାନ୍ତି ।

Spread the love