ଜେଇଇ ଆଡଭାନ୍ସଡରେ ଯୁବୋଦୟ ଛାତ୍ରଛାତ୍ରୀଙ୍କ ବାଜିମାତ୍

ବଲାଙ୍ଗିର ୨୯।୧୦: ଚଳିତବର୍ଷ ଖଡ଼ଗପୁର ଆଇଆଇଟି ଆନୁକୂଲ୍ୟରେ ପରିଚାଳିତ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷାରେ ଯୁବୋଦୟ ଶିକ୍ଷାନୁଷ୍ଠାନକୁ ସଫଳତା ମିଳିଛି । ଯୁବୋଦୟର ୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଉଦ୍ୟମରେ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଶୁଭମ୍‌ ଅଗ୍ରୱାଲ, ଅମନ ଜୈନ, ଗୌରସୁନ୍ଦର ତ୍ରିପାଠୀ, ସଂସ୍କାର ପଣ୍ଡା, ନିବେଶ ସାହୁ ଏବଂ ଭୌମିକ ଚନ୍ଦ୍ର ବାଗ ରହିଛନ୍ତି । ଶୁଭମ୍‌ ଅଗ୍ରୱାଲ ସାଧାରଣ ବର୍ଗରେ ୨୮୭୨ ର୍ୟାଙ୍କରେ ରହି ଆଇଆଇଟି ମୁମ୍ବାଇରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଅମନ୍‌ ଜୈନ୍‌, ଗୌରସୁନ୍ଦର ତ୍ରିପାଠୀ ଏବଂ ସଂସ୍କାର ପଣ୍ଡା ଜେଇଇ ମେନ୍‌ ପରୀକ୍ଷାରେ ୯୯ ପ୍ରତିଶତରୁ ଅଧିକ ମାର୍କ ରଖି ଅନ୍ୟ ଆଇଆଇଟି ତଥା ଏନ୍‌ଆଇଟି ଭଳି ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।

ଯୁବୋଦୟ ଆଡ଼ଭାନ୍ସଡ଼ କ୍ଲାସେସର ଛାତ୍ର ଜ୍ୟୋତିରାଜ ପଧାନ ସର୍ବୋଚ୍ଚ ସଫଳତା ହାସଲ ପୂର୍ବକ ସାଧାରଣ ବର୍ଗରେ ୨୭୭୦ ର୍ୟାଙ୍କ ତଥା ଓବିସି ବର୍ଗରେ ମାତ୍ର ୪୨୯ ର୍ୟାଙ୍କ ରଖି ଆଇଆଇଟି ଖଡ଼ଗପୁର କିମ୍ବା ଆଇଆଇଟି ଚେନ୍ନାଇରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ଜ୍ୟୋତିରାଜ ଗତବର୍ଷ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ସମଗ୍ର ଓଡ଼ିଶାରେ ଅଷ୍ଟମ ସ୍ଥାନ ତଥା ପଶ୍ଚିମ ଓଡ଼ିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଜେଇଇ ମୁଖ୍ୟ ପରୀକ୍ଷାରେ ଯୁବୋଦୟର ଅନେକ ଛାତ୍ରଛାତ୍ରୀ ପ୍ରତିବର୍ଷ କ୍ରମାଗତ ଭାବେ କୃତକାର୍ଯ୍ୟ ହେଉଛନ୍ତି । ବର୍ତ୍ତମାନ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଡ଼ାକ୍ତରୀ ପଢିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଆଇଆଇଟି ଓ ଏନ୍‌ଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବାର ଚାହିଦା କମିନାହିଁ । ଯୁବୋଦୟ ସେହିଭଳି ସୁବିଧା ନିଜ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରୁଛି । ପ୍ରଥମ ପ୍ରଚେଷ୍ଟାରେ ୨୩ଟି ଆଇଆଇଟି ମଧ୍ୟରୁ ସର୍ବଭାରତୀୟସ୍ତରର ଶ୍ରେଷ୍ଠ ୭ଟି ଆଇଆଇଟିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବା, ଯୁବୋଦୟର ଗୁଣବତ୍ତାର ପରିଚୟ ଅଟେ ।

ସଫଳ ଛାତ୍ରମାନେ ଏହାର ଶ୍ରେୟ ପିତାମାତାଙ୍କ ସମେତ ଯୁବୋଦୟର ଅଧ୍ୟାପକ ହର୍ଷ ଜୈନ୍‌, ସୋହନ ଗୁପ୍ତା, ଇପସିତା ପଣ୍ଡା ତଥା ସୁବାଷ ଚନ୍ଦ୍ର ସାହୁଙ୍କୁ ଦେଇଛନ୍ତି । ଯୁବୋଦୟର ନିର୍ଦ୍ଦେଶକ ଅମ୍ୱରୀଶ ଦାଶଙ୍କର ଆପ୍ରାଣ ଉଦ୍ୟମ ଓ ଏକ ଉତ୍ସର୍ଗୀକୃତ ତଥା ଅଭିନବ ଶିକ୍ଷା ପ୍ରଣାଳୀର ପ୍ରଚଳନ ଦ୍ବାରା ପ୍ରତ୍ୟେକ ବର୍ଷ ଯୁବୋଦୟରେ ପଢୁଥିବା ଛାତ୍ରଛାତ୍ରୀ ଶହଶହ ସଂଖ୍ୟାରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ବନାମଧନ୍ୟ ବୈଷୟିକ ତଥା ସରକାରୀ ମେଡ଼ିକାଲ୍ କଲେଜରେ ପଢିବାର ସ୍ବପ୍ନକୁ ସାକାର କରି ପାରିଛନ୍ତି ।

ଗତ ୨୦୧୯ ମସିହାରେ ଦେଶର ଅଗ୍ରଣୀ କୋଚିଂ ଅନୁଷ୍ଠାନଗୁଡିକୁ ପଛରେ ପକାଇ, ଯୁବୋଦୟର ଛାତ୍ର ଆଶୁତୋଷ ପଣ୍ଡା ନିଟ୍‌ ଏବଂ ଏମ୍ସ ଦୁଇଟିଯାକ ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ବର୍ତ୍ତମାନ ଭୁବନେଶ୍ବର ସ୍ଥିତ ଏମ୍ସରେ ଅଧ୍ୟୟନ କରୁଛନ୍ତି ।

Spread the love