ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପ୍ରସ୍ତୁତି, ହିତାଧିକାରୀଙ୍କୁ ବଣ୍ଟନ କରିବେ ସ୍ମାର୍ଟ କାର୍ଡ

କଳାହାଣ୍ଡି, ୩୦/୧୦: ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରୁଥିବା ବେଳେ ନଭେମ୍ବର ୮ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବାର ରହିଛି । ଏହାକୁ ନେଇ ମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି ।

ଭବାନୀପାଟଣା ଓୟୁଏଟି ପଡ଼ିଆରେ ହେଲିକପ୍ଟର ଓଲ୍ଲାଇ ଅଡିଟୋରିୟମରେ ୨୫୦ ଜଣ ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଯଦିଓ ତାରିଖ ଘୋଷଣା  ହୋଇନାହିଁ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓୟୁଏଟି ପଡ଼ିଆରେ ସଭାସ୍ଥଳ, କେଉଁଠି ହେଲିପ୍ୟାଡ୍ ହେବ ଓ ସଭା ହେବ ସେନେଇ ସମୀକ୍ଷା କରିଛନ୍ତି । ତାଙ୍କ ସହ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ୍, ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଅଜିତ କୁମାର ବାବୁ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ସେ ପରିଦର୍ଶନ କରିଛନ୍ତି। ଯେଉଁଠି ଦଳୀୟ କର୍ମୀ ସହ ସାଧାରଣ ଲୋକଙ୍କ ଭେଟିଛନ୍ତି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପ୍ରସ୍ତୁତି କରିବା ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଚର୍ଚ୍ଚାକୁ ବିରାମ ଦେଇଛି। ସେହିପରି ନିର୍ବାଚନ ମଣ୍ଡଳୀରେ ଶତାଧିକ ଲୋକଙ୍କ ସମାଗମରେ ମନ୍ତ୍ରୀଙ୍କୁ ସ୍ଵାଗତ ବିରୋଧୀଙ୍କୁ ଜବାବ ବୋଲି ଚର୍ଚ୍ଚା ହେଉଛି ।

Spread the love