ଭାରତୀୟ ସେନା ପାଳୁଛି ସ୍ୱର୍ଣ୍ଣିମ ବିଜୟ ବର୍ଷ, ବାଲୁକା କଳାରେ ସ୍ୱାଗତ କଲେ ବାଲୁକା ଶିଳ୍ପୀ

ପୁରୀ ୦୧/୧୧: ବାଲୁକା କଳା ମାଧ୍ୟମରେ ସ୍ବର୍ଣ୍ଣିମ ବିଜୟ ବର୍ଷକୁ ସ୍ବାଗତ କରାଯାଇଛି । ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାର ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରାଯାଇଛି । ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । ୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ ।

ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ନିମନ୍ତେ ଭାରତୀୟ ସେନା ପକ୍ଷରୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ସହ ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି । ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି ଓ ଏହି ବିଜୟ ମଶାଲ ନଭେମ୍ବର ୫ ତାରିଖରେ ପୁରୀରେ ପହଞ୍ଚିବ ।

ଏହି ବିଜୟ ମଶାଲକୁ ଆଡମ୍ବର ସହ ପୁରୀରେ ସ୍ୱାଗତ କରାଯିବ । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୂର୍ବରୁ ଅନୁଷ୍ଠିତ ହୋଇଛି । ଆସନ୍ତା ୫ ତାରିଖ ସକାଳ ସମୟରେ ବ୍ଲୁ ଫ୍ଲାଗ ବିଚରେ ବାଲୁକା କଳା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାପରେ ଏହାକୁ ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟ ପରିସରରେ ସ୍ବାଗତ କରାଯିବ ।

ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ହାଇସ୍କୁଲ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ଏନସିସି, ରେଡକ୍ରସ ଓ ଏନଏସଏସ ସ୍ବେଚ୍ଛାସେବୀ ସାମିଲ ହେବେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ଉତ୍ସବ ପାଳନ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

Spread the love