ସମ୍ ସ୍ନାୟୁ ବିଶେଷଜ୍ଞଙ୍କ ବିରଳ କୃତିତ୍ୱ: ୩ ଦିନରେ କୋମାରୁ ଉଠିଲେ ରୋଗୀ

ଭୁବନେଶ୍ୱର, ୨/୧୧: ସଡ଼କ ଦୁର୍ଘଟଣାରେ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଜଣେ ୨୫ ବର୍ଷୀୟ ଯୁବକ ଇନ୍‌ଷ୍ଟିଚ୍ୟୁଟ ଅଫ୍ମେ ଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ନାୟୁରୋଗ ବିଭାଗରେ ଚିକିତ୍ସିତ ହୋଇ ନୂତନ ଜୀବନ ଲାଭ କରିଛନ୍ତି। କେତନ ସେଠ ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା-ସୁନ୍ଦରଗଡ ରାଜ୍ୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମସ୍ତିଷ୍କରେ ଗୁରୁତର ଆଘାତ ହୋଇଥିଲା। ପରିବାରର ସଦସ୍ୟମାନେ ତାଙ୍କୁ ବହୁ ସରକାରୀ ଓ ଘରୋଇ
ଡାକ୍ତରଖାନାକୁ ନେଇ ଦୀର୍ଘ ୧୦ ଦିନ ଧରି ତାଙ୍କର ଚିକିତ୍ସା କରାଇଥିଲେ। ମାତ୍ର ଯୁବକଙ୍କର ଚେତା ଫେରି ନଥିଲା କି ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ସମସ୍ତେ କେତନଙ୍କର ବଂଚିବା ଆଶା କ୍ଷୀଣ ବୋଲି ଭାବି ନେଇଥିଲେ ମାତ୍ର ଶେଷରେ ମନରେ ଆଶା ସଂଚାର କରି ତାଙ୍କୁ
ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌କୁ ଅଣାଯାଇଥିଲା । ଏଥିରେ ସ୍ଥାନୀୟ ଲୋକଙ୍କର ଓ ସୋସିଆଲ୍ ମେଡିଆର ଅନେକ ଅବଦାନ ଥିଲା । ହସ୍ପିଟାଲ୍‌ର ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡଃ ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ତତ୍ୱାବଧାନରେ କେତନଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ତେବେ ଚିକିତ୍ସା କରିବା ସମୟରେ ଡାକ୍ତର କହିଥିଲେ ଯେ କେତନଙ୍କର ମସ୍ତିଷ୍କ ଓ ମୁଖମଣ୍ଡଳ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବାରୁ ସେ ସମ୍ପୂର୍ଣ୍ଣ କୋମାକୁ ଚାଲିଯାଇଛନ୍ତି । ମସ୍ତିଷ୍କ ଭିତରେ ପ୍ରଚୁର ରକ୍ତସ୍ରାବ ହେବା ସହିତ ମୁହଁର ଅନେକ ହାଡ ଭାଙ୍ଗିଯାଇଥିଲା ଓ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତାଙ୍କୁ ଭେନ୍‌ଟିଲେଟରରେ ରଖି ଅତ୍ୟାଧୁନିକ ଓ ଜଟିଳ ପଦ୍ଧତିରେ ଉତମ ଚିକିତ୍ସା କରାଯିବାରୁ ମାତ୍ର ୩ ଦିନ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା । ନୂତନ ଜୀବନ ମିଳିଥିବାରୁ କେତନଙ୍କ ଭାଇ ପିଙ୍କୁ ସେଠ ଓ ତାଙ୍କ ପରିବାର ପକ୍ଷରୁ ହସ୍ପିଟାଲ୍ କର୍ତୃପକ୍ଷ ଓ ଡଃ ଚୌଧୁରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଡା. ଚୌଧୁରୀ କହିଛନ୍ତି ଯେ “ଯଦିଓ କେତନଙ୍କର ଜୀବନ ପ୍ରତି ବିପଦ ଥିଲା ଓ ତାଙ୍କୁ ଚିକିତ୍ସା କରିବା ଜଟିଳ ଥିଲା ତେବେ ଏହା ଅସମ୍ଭବ ନଥିଲା।” କେତନଙ୍କ ଚିକିତ୍ସା ପାଇଁ ସେ ଡଃ ଈଶ୍ୱର ବେହେରା, ଅନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି । ପରିବାରର ଅର୍ଥାଭାବ ଥିବାରୁ ହସ୍ପିଟାଲ୍ କର୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇଛି ।

Spread the love