ଦୀପାବଳିରେ ଦୀପ ଜଳାଇବାର ମହତ୍ୱ

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଭାରତୟ ସଂସ୍କୃତିରେ ଏହା ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ଏହି ପର୍ବକୁ ଦୀପ ଜାଳି, ମିଠା ଖାଈ, ବାଣ ଫୁଟାଇ, ପରିବାର, ବନ୍ଧୁ, ପରିଜନଙ୍କ ସହ ମିଶି ଖୁସିରେ ପାଳନ କରାଯାଏ । ଅମାବାସ୍ୟାର ଅନ୍ଧାରକୁ ଦୂରେଇ ପରିବେଶକୁ ଆଲୋକିତ କରିବାର ଏହା ଏକ ଛୋଟିଆ ପ୍ରୟାସ । କିନ୍ତୁ ଆମେ କାହିଁକି ଦୀପ ଜାଳିଥାଉ ଆପଣ ଜାଣନ୍ତି?

ଆଲୋକ ହେଉଛି ବିଜୟର ଦ୍ୟୋତକ । ବୈଦିକ ଯୁଗରୁ ଅଗ୍ନି ଉପାସନା ସହିତ ସ୍ୱତଃ ପ୍ରଦୀପର ସମ୍ପର୍କ ଆମ ଜୀବନରେ ଭଲ ପ୍ରଭାବ ପକାଇଥାଏ । ‘ଦୀପଂ ଜ୍ୟୋତିଃ ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଧନ, ଦୀପଂ ଜ୍ୟୋତି ହରେତ୍ ପାପଂ, ସନ୍ଧ୍ୟା ଦୀପଂ ନମୋସ୍ତୁତେ’ । ଏହାର ଅର୍ଥ ହେଉଛି ଦୀପର ଜ୍ୟୋତି ଭଗବାନଙ୍କର ପ୍ରତୀକ ଓ ଏହା ପାପ ନାଶ କରିଥାଏ । ଦୀପର ଅର୍ଥ ଦୀପ୍ତି ହେବା । ଦୀପର ଅନ୍ୟ ନାମ ଅଗ୍ନିଶିଖା । ତେଣୁ ଏହା ଭଗବାନଙ୍କର ତେଜସ୍ୱୀ ରୂପ । ସେହି ତେଜ ହିଁ ଯୁଗେ ଯୁଗେ ଅନ୍ୟାୟକୁ ବିଦାରଣ କରି ନ୍ୟାୟର ପ୍ରତିଷ୍ଠା କରିଆସିଛି ।

ଦୀପ ହେଉଛି ଅଗ୍ନିର ପ୍ରତୀକ । ପ୍ରତ୍ୟେକ ଶୁଭକାର୍ଯ୍ୟରେ ପରଂବ୍ରହ୍ମଙ୍କ ପ୍ରତୀକ ରୂପେ ଦୀପ ଜଳାଯାଏ । ଭାରତୀୟ ସଂସ୍କୃତିରେ ଦୀପ ଜ୍ୟୋତିକୁ ପାପନାଶକ ଶକ୍ତି ରୂପେ ଉପାସନା କରାଯାଇଥିବାରୁ ଦୀପ ଜାଳିବା ଦ୍ୱାରା ପରିବେଶରେ ଓ ପରିବାରରେ ସକରାତ୍ମକତା ବୃଦ୍ଧି ପାଇଥାଏ । ପ୍ରତିଦିନ ଦୀପ ଜାଳିବା ଦ୍ୱାରା ଜୀବନରେ ନକରାତ୍ମକତା ଆସିନଥାଏ ଓ ମନ ପ୍ରଫୁଲ ରହିଥାଏ ।

Spread the love