ସୈନିକଙ୍କ ସହ ଦୀପାବଳି ପାଳିଲେ ମୋଦୀ

ରଜୌରୀ, ୦୪/୧୧: ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଗୁରୁବାର ରଜୌରୀ ଜିଲ୍ଲାର ନୌଶେରାରେ ପହଁଚିଥିଲେ । ସେଠାରେ ପ୍ରଥମେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଦୀପାବଳି ପାଳନ କରିଥିଲେ ।

ମୋଦୀ ଯବାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହାସହ ବୀର ଯବାନଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ, ଯବାନମାନେ ତାଙ୍କ ପରିବାର । ସେ ସମସ୍ତ ଦୀପାବଳି ଯବାନଙ୍କ ସହ ପାଳନ କରିଥାନ୍ତି । ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ଓ ଏବେ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଯବାନଙ୍କ ସହ ଉତ୍ସାହ ମନାଉଛନ୍ତି । ଦେଶର ବୀରମାନେ ସୀମାରେ ପହରା ଦେଉଛନ୍ତି । ତେଣୁ ସାରା ଦେଶ ଶାନ୍ତିରେ ଶୋଇପାରୁଛି । ଯବାନମାନେ ଦେଶର ସୁରକ୍ଷା କବଚ । ସେମାନଙ୍କ ପାଇଁ ଦେଶରେ ଶାନ୍ତି ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରହିଛି ।

ଆହୁରି ମଧ୍ୟ ମୋଦୀ ଯବାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ସେମାନଙ୍କ ଗୌରବମୟ ଇତିହାସ ବାବଦରେ କହିଥିଲେ । ଏହାସହ ସେ କହିଥିଲେ ଯେ, ଶତ୍ରୁ ଭାରତ ମାଟିରେ ପାଦ ଦେଲେ କଡା ଜବାବ ମିଳୁଛି। ପୂର୍ବରୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ହେଉଥିଲା । ଏବେ ଭାରତ ଆତ୍ମ ନିର୍ଭର ହୋଇପାରିଛି । ଦେଶରେ ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ତିଆରି ହେଉଛି । ଫଳରେ ସେନା ଆହୁରି ଶକ୍ତିଶାଳୀ ହୋଇଥିବା ମୋଦୀ କହିଥିଲେ ।

Spread the love