ଥମୁନି ମମିତା ନିଆଁ : ବିଜେପିର ୮ ଘଣ୍ଟିଆ ଝାରସୁଗୁଡା ବନ୍ଦ ପାଳନ

ଝାରସୁଗୁଡ଼ା ୦୬/୧୧: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଥମୁନି ତାତି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମାମଲାକୁ ସିବିଆଇ ଦ୍ୱାରା ଯାଞ୍ଚ କରିବା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଶନିବାର ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି ।

ସକାଳ ୬ଟାରୁ ଦିନ ୨ଟା ଯାଏ ଝାରସୁଗୁଡ଼ା ଜିଲ୍ଲାର ୩ ପୌରାଞ୍ଚଳ ଓ ୫ଟି ବ୍ଲକର ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ କରାଯାଇଛି। ଦଳୀୟ କର୍ମୀ ରାଜପଥ ଅବରୋଧ କରି ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। କେବଳ କ୍ଷୀର, ଔଷଧ ଓ ଖବରକାଗଜ ଗାଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି ।

ଝାରସୁଗୁଡା ବନ୍ଦ ଯୋଗୁଁ ଝାରସୁଗୁଡା ସମେତ ବ୍ରଜରାଜନଗର, ବେଲପାହାଡ଼ ସହରର ଦୋକାନ ବଜାର ବନ୍ଦ ରହିଛି। ଏଥିସହ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ସକାଳ ୧୦ଟା ପରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ,ବୀମାସେବାକୁ ବନ୍ଦ କରାଇବାକୁ ବିଜେପି ପକ୍ଷରୁ ପିକେଟିଂ କରାଯିବ। ବନ୍ଦ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। କର୍ମୀମାନେ ଝାରସୁଗୁଡା ସହରର ବସଷ୍ଟାଣ୍ଡ, ଷ୍ଟେସନ ଛକ,ବଡମାଲ,ପ୍ରସନ୍ନ ପଣ୍ଡା ଛକ,ବେହେରାମାଲ ସହ ୧୨ଟି ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରି ବସିଛନ୍ତି।

Spread the love