ବାୟୋ-ସିଲଡ୍ ପ୍ରକଳ୍ପରେ କାମ କରୁଛନ୍ତି ପଶ୍ଚିମବଙ୍ଗ ସରକାର, ଆଉ ରହିବନି ସାମୁଦ୍ରିକ ବାତ୍ୟା ଭୟ

କୋଲକାତା ୭।୧୧: ବାତ୍ୟା ଅମ୍ଫାନ ଓ ଗତ ଦିନରେ ପ୍ରବାହିତ ହୋଇଥିବା ୟସ୍ ଭଳି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ପ୍ରଳୟରୁ ଉପକୂଳ ସୁରକ୍ଷା ଲାଗି ପଶ୍ଚିମବଙ୍ଗ ସରକାର ଏକ ପ୍ରାକୃତିକ ପ୍ରତିରକ୍ଷା ତନ୍ତ୍ର ଉପରେ ଏବେ କାର୍ଯ୍ୟ କରୁଛନ୍ତି। ପଶ୍ଚିମବଙ୍ଗ ସରକାର ରାଜ୍ୟଲାଗି ଏକ ମଜଭୁତ ପରିବେଶଗତ ସ୍ଥାୟୀ ବାୟୋ-ସିଲଡ୍ ନିର୍ମାଣର ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ମାସରେ ବିଶେଷଜ୍ଞଙ୍କ ଏକ ୨୪ ସଦସୀୟ କମିଟି ଗଠନ ହୋଇଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ କଲ୍ୟାଣ ରୁଦ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ପ୍ରଳୟଙ୍କର ଘୂର୍ଣ୍ଣିବାତ୍ୟାକୁ ନିୟନ୍ତ୍ରିତ କରିବା ଲାଗି ଏକ ବିସ୍ତୃତ କାର୍ଯ୍ୟ ଯୋଜନା ହାତକୁ ନେଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ବେଙ୍ଗଲ ଡେଲ୍ଟା କ୍ଷେତ୍ରରେ ସର୍ବାଧିକ ଅନୁଭୂତ ହେଉଛି। ୨୦୦୬ରୁ ୨୦୧୫ ମସିହା ମଧ୍ୟରେ ଏଠାରେ ସମୁଦ୍ର ଜଳସ୍ତର ପ୍ରତିବର୍ଷ ୩.୬ ମିଲିମିଟର ହାରରେ ବଢ଼ିବଢି଼ ଚାଲିଛି। ଏଥିଲାଗି ସୁନ୍ଦରବନରେ ପ୍ରତିବର୍ଷ ଭୂମି ହ୍ରାସ ପାଉଥିବା ବେଳେ ଏଠାରେ ସମୁଦ୍ର ସ୍ତର ବାର୍ଷିକ ୬.୯ ମିଲମିଟର ହାରରେ ବଢିବାରେ ଲାଗିଲାଣି। ଏଣୁ କମିଟି ଏକ ଜଳବାୟୁ ଅନୁକୂଳ ବହୁସ୍ତରୀୟ ଉଦଭିଦ ଢାଲ ନିର୍ମାଣ ଲାଗି ପ୍ରସ୍ତାବ ଦେଇଛି।

ଏଥିଲାଗି କମିଟି ମେନଗ୍ରୋଭ ଓ ମେନଗ୍ରୋଭ ସହଯୋଗୀ ନିଳ ସବୁଜ ପ୍ରଜାତିର ୩୬ ପ୍ରକାର ଶୈବାଳ ଚିହ୍ନଟ କରିଛି। ଏଥିରେ ଆଇଆଇଟି ମାଡ୍ରାସ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇଛି। ସେମାନେ ଉପକୂଳ ସୁରକ୍ଷା ଲାଗି ଏକ କ୍ରୁତ୍ରିମ ଅଫସୋର ରିଫ ବାରିୟର ନିର୍ମାଣର ପ୍ରସ୍ତାବ ଦେଇଛନ୍ତି।

Spread the love