ଖାଲି ପାଦରେ ପଦ୍ମଶ୍ରୀ ପୁରସ୍କାର ନେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲେ କମଳା ବିକାଳି, ତାଳିରେ ଗୁଞ୍ଜି ଉଠିଲା ପୁରା ହଲ୍

ନୂଆଦିଲ୍ଲୀ ୦୮।୧୧: ପେଶାରେ ସେ ଜଣେ ସାଧାରଣ କମଳା ବିକାଳି। ହେଲେ ସମାଜ ପାଇଁ କାମ କରିବାକୁ ସର୍ବଦା ସେ ତତ୍ପର ଥାଆନ୍ତି। ଏପରିକି ଗାଁରେ ବିଦ୍ୟାଳୟ ନିର୍ମାଣ ସେ ନିଜର  ଜମା ପୁଞ୍ଜି ଦାନ କରି ଦେଇଛନ୍ତି। ଏହି ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ହେଲେ ଏହି ଅବସରରେ ତାଙ୍କ ଦେହରେ ନା ଥିଲା ଦାମୀ ପୋଷାକ ନା ପାଦରେ ଥିଲା ଜୋତା।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି। ଏହି ସମୟରେ କର୍ଣ୍ଣାଟକର ଜଣେ କମଳା ବିକାଳି ନିଜର ପୁରସ୍କାର ନେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲେ ପୂରା ହଲ ତାଳିମାଡରେ ଗୁଞ୍ଜି ଉଠିଥିଲା। କମଳା ବିକାଳି ହରେକଲା ହଜବା ଖାଲି ପାଦରେ ଏବଂ ସାଧାରଣ ପୋଷାକ ପିନ୍ଧି ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲେ।

ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ରାଷ୍ଟ୍ରପତି କୋବିନ୍ଦ ହରେକଲାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। କର୍ଣ୍ଣାଟକର ମାଙ୍ଗାଲୋରର କମଳା ବିକାଳି ହରକେଲା ନିଜ ଗାଁରେ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ନିଜ ବ୍ୟବସାୟରେ ଯାହା ଆୟ କରୁଥିଲେ ତାହା ସଞ୍ଚୟ କରୁଥିଲେ। ସେହି ଜମାପୁଞ୍ଜିକୁ ସେ ବିଦ୍ୟାଳୟ ନିର୍ମାଣ ପାଇଁ ଦାନ କରିଛନ୍ତି।

ସୂଚନାଯୋଗ୍ୟ, ଦେଶର ସବୁଠୁ ବଡ ସମ୍ମାନ  ଭାରତ ରତ୍ନ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ସୋମବାର ରାଷ୍ଟ୍ରପତି ଭବନରେ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଭବ୍ୟ ସମାରୋହରେ ଆୟୋଜିତ କରାଯାଇଛି। ଏହି ସମୟରେ ସୁଷମା ସ୍ଵରାଜ ଓ ଅରୁଣ ଜେଟଲୀଙ୍କ ପରି ରାଜନେତାଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ  ୨୦୨୦ ପାଇଁ ଆଜି ୧୪୧ ଜଣଙ୍କୁ ସମ୍ମାନିତ କରାଯାଇଛି। ମଙ୍ଗଳବାର ୨୦୨୧ ପାଇଁ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ।

Spread the love