ଅଳିଆ ପାଇଁ ୟୁଜର୍ସ ଫି’ ଦେବେ ପୁରୀବାସୀ, ଆସନ୍ତା ୧୦ରୁ ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି

ପୁରୀ ୮।୧୧: ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ ।  ଆସନ୍ତା ୧୦ ତାରିଖରୁ ଫି ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି କରିବା ପରେ ସହରବାସୀଙ୍କ ଚିନ୍ତା ବଢିଛି । ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨୦୦ ବର୍ଗ ଫୁଟ ଘର ପାଇଁ ୫୦ ଟଙ୍କା, ୩ହଜାର ବର୍ଗ ଫୁଟ ଘର ପାଇଁ ୭୦ ଟଙ୍କା ଓ ୫ହଜାର ବର୍ଗ ଫୁଟ ଘର ପାଇଁ ମାସିକ ଶହେ ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ହୋଲ୍ଡିଂ ଟାକ୍ସ ଦେଉଥିବାବେଳେ ଏବେ ଅଳିଆ ପାଇଁ ଟଙ୍କା ଦେବାକୁ ପଡିବ । ଯାହାକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତୀବ୍ର ବିରୋଧ କରିଛନ୍ତି ।ଆଜି ୩୧ଟି ଅନୁଷ୍ଠାନ ପୃଥକ ପୃଥକ ଭାବରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ୟୁଜର୍ସ ଫି ଆଦାୟ ନିଷ୍ପତ୍ତିର ପୁନର୍ବିଚାର କରାଯାଉ । ନଚେତ ୧ଲକ୍ଷ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମୁଖ୍ଯମନ୍ତ୍ରୀଙ୍କୁ ଦିଆଯିବା ସହ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

ଅଳିଆ ଗାଡି ସହ ଯାଉଥିବା ସ୍ବଚ୍ଛ ସାଥୀ କିମ୍ବା ପୌର କର୍ମଚାରୀ ଦେୟ ଆଦାୟ କରିବେ । ଅକ୍ଟୋବର ୨୧ରେ ପୌର ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବାବେଳେ ନଭେମ୍ବର ୨ରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବାଧ୍ଯତାମୂଳକ ନୁହେଁ ଲୋକଙ୍କୁ ସ୍ବଚ୍ଛ ପୁରୀ ପାଇଁ ୟୁଜର୍ସ ଫି ଦେବାକୁ ପ୍ରଶାସନ ଅପିଲ କରିଛି । ତେବେ ଦେୟ ନଦେଲେ କଣ ପଦକ୍ଷେପ ନିଆଯିବ ସେନେଇ ନିର୍ଦ୍ଦେଶାନାମାରେ ଉଲ୍ଲେଖ ନାହିଁ । ସ୍ବଚ୍ଛ ଭାରତ ଅଭିଯାନ ସର୍ବେକ୍ଷଣରେ ପୁରୀ କ୍ରମାଗତ ଭାବେ ନିମ୍ନ ସ୍ଥାନ ହାସଲ କରୁଥିବାରୁ ସ୍ବତନ୍ତ୍ର ପଦକ୍ଷେପ ଜରିଆରେ ସୁଧାର ଆଣିବାକୁ ପୌରପାଳିକା ଲକ୍ଷ୍ଯ ରଖିଛି । ୟୁଜର୍ସ ଫିକୁ ବିରୋଧ କରି ବିଭିନ୍ନ ଅନୁଷ୍ଠାନର ଦାବି ସଂପର୍କରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

Spread the love