ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି

ବ୍ରହ୍ମପୁର ୧୦।୧୧: କରୋନା ମହାମାରୀର ପ୍ରଭାବରେ ଶିକ୍ଷା ବେଶ୍ ପ୍ରଭାବିତ ହୋଇଛି। ଏହାର ସୁଧାର ଆସିବା ପରେ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିବା ସହ ଶ୍ରେଣୀ ଗୃହରେ ଆରମ୍ଭ ହୋଇଛି ଶିକ୍ଷାଦାନ। ହେଲେ ପରୀକ୍ଷା ହେବା ନେଇ ନୋଟିସ୍ ବାହାରିବା ପରେ ଦେଖାଦେଇଛି ଛାତ୍ର ଅଶାନ୍ତି । ବ୍ରହ୍ମପୁର ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ର ଆନ୍ଦୋଳନ ।

ଖବର ଅନୁଯାୟୀ,  କରୋନା ସ୍ଥିତି ସୁଧୁରିବା ପରେ ଖୋଲିଛି ସ୍କୁଲ୍, କଲେଜ୍। ପାଠ ପଢା ଉପରେ ଛାତ୍ର ଛାତ୍ରୀଙ୍କ ଆଗ୍ରହ ଜମିଛି। ହେଲେ ସମାସ୍ୟା ହେଉଛି ପରୀକ୍ଷା । ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ୍ ପରୀକ୍ଷା କରିବା ଦାବିରେ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ । ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟ କୁଳପତି କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ଆନ୍ଦୋଳନ କରୁଛନ୍ତି । ଯୁକ୍ତ ତିନି ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍ ପରୀକ୍ଷା ଅନ୍ ଲାଇନ୍ ରେ କରିବାକୁ ଦାବି କରିଛନ୍ତି ।

ତେବେ ପାଠ୍ଯ ଖସଡାର ପାଠ୍ୟକ୍ରମ ସରି ନାହିଁ । କୋର୍ସ ନସରି ପରୀକ୍ଷା ପାଇଁ ନୋଟିସ୍ ବାହାରିଛି। ଏଭଳି ପରୀକ୍ଷା ଦେବା ଛାତ୍ର ଛାତ୍ରୀଙ୍କ ପାଇଁ କଷ୍ଟକର ବ୍ଯାପାର। ଏହି ସମୟରେ ସମାଧାନ ପାଇଁ ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିଛନ୍ତି । କମିଟି ବୈଠକ ପରେ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି ।

ସେପଟେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଟାଉନ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ।ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଭିତରେ ସମାସ୍ଯାର ସମାଧାନ କେମିତି ହେବ ତା ଉପରେ ରହିଛି ସମସ୍ତଙ୍କ ନଜର।

Spread the love