ପଞ୍ଚାୟତ ନିର୍ବାଚନ: କମିଲା ପଛୁଆ ବର୍ଗଙ୍କ ସଂରକ୍ଷିତ ସିଟ୍ ସଂଖ୍ୟା, ତେଜିଲା ରାଜନୀତି, ଏମିତି ସଫେଇ ଦେଲା ବିଜେଡି

ଭୁବନେଶ୍ଵର ୧୭।୧୧: ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ପୁଣି ସରଗରମ୍ ହୋଇଛି ରାଜ୍ୟ ରାଜନୀତି । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏବେ ତାଲିକାରେ ୧୨ ପ୍ରତିଶତ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୨୦୧୭ ତୁଳନାରେ ଓବିସିଙ୍କ ପାଇଁ ସରଂକ୍ଷିତ ଜିଲ୍ଲାପରିଷଦ ସିଟ ସଂଖ୍ୟା ଏଥର ଢ଼େର୍ ହ୍ରାସ ପାଇଛି । ଏମିତିକି ୧୧୪ ଜୋନରେ ପଛୁଆ ବର୍ଗଙ୍କ ଲାଗି ଆଦୌ ସଂରକ୍ଷଣ ନାହିଁ । ଯାହାକୁ ବିରୋଧୀ ସମାଲୋଚନା କରିଥିବା ବେଳେ ଏହାର ଜବାବ ରଖିଛି ବିଜେଡି । କହିଛି, ସବୁ ବିଧି ବ୍ୟବସ୍ଥା ଅନୁସାରେ ହୋଇଛି । ଆଉ ଘୋଷଣା ଅନୁସାରେ ଦଳ ୨୭ ପ୍ରତିଶତ ପ୍ରାର୍ଥୀ ଓବିସିଙ୍କୁ ଦେବ ।

ସଂରକ୍ଷଣ ରାଜନୀତିରେ ଓବିସି ଲାଭରେ ନା କ୍ଷତିରେ ? ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ସେହି ନିଆଁରେ ଏବେ ଘିଅ ଢ଼ାଳିଛି ପଞ୍ଚାୟତ ନିର୍ବାଚନକୁ ନେଇ ଆସିଥିବା ସଂରକ୍ଷଣ ତାଲିକା । ଯେଉଁଥିରେ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ୧୦୪ଟି ଆସନ ସଂରକ୍ଷିତ ରହିଛି। ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକାରେ ୧୪ଜିଲ୍ଲାରେ ଓବିସିଙ୍କ ଲାଗି ସିଟ ସଂରକ୍ଷଣ ନାହିଁ । ବୌଦ୍ଧ ଓ ସୋନପୁର ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଆସନ ପଛୁଆ ବର୍ଗଙ୍କୁ ଦିଆଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ସେମାନଙ୍କ ଯୁକ୍ତି ହେଲା, ୨୦୧୭ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ଲାଗି ସଂରକ୍ଷଣ ଥିଲା ୨୩୬ ସିଟ । ହେଲେ ଏଥର ସିଟ୍ ସଂଖ୍ୟା ୧୦୪କୁ ଖସିଛି । ଫଳରେ ଓବିସି ବର୍ଗ ୧୩୨ ସିଟ ହରାଇଛନ୍ତି । ସରକାର ୨୭ ପ୍ରତିଶତ ଓବିସିଙ୍କ ଲାଗି ସଂରକ୍ଷଣ ରଖିବାକୁ କହୁଥିବା ବେଳେ ହିସାବ କହୁଛି ଏଥର ପଛୁଆବର୍ଗ ପ୍ରାର୍ଥୀଙ୍କୁ ଦିଆଯାଇଛି ମାତ୍ର ୧୨ ପ୍ରତିଶତ ସଂରକ୍ଷଣ । ଏଭଳି ସ୍ଥିତିରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି ବିଜେପି । ସେପଟେ ସମାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଛି କଂଗ୍ରେସ ।

ପଛୁଆ ବର୍ଗଙ୍କ ସଂରକ୍ଷଣ ହିସାବକୁ ବିଜେଡିର କହିବା କଥା, ବିଧି ବ୍ୟବସ୍ଥା ଅନୁସାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇଛି । ସାଧାରଣ ନିର୍ବାଚନ ବେଳେ ମହିଳା ସଂରକ୍ଷଣ ଲାଗି ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ପ୍ରାର୍ଥୀ ଦେବାକୁ କହି କଥା ରଖିଥିଲା । ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଦେବାକୁ ଦଳ ଯେଉଁ ଘୋଷଣା କରିଛି ତାହା କାଏମ ରହିବ । ରାଜ୍ୟର ମୋଟ ଭୋଟରଙ୍କ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍ ୫୨ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ ଭୋଟର । ତେଣୁ ପଛୁଆ ବର୍ଗଙ୍କ ଭୋଟ ହାତେଇବାକୁ ସବୁ ରାଜନୈତିକ ଦଳ ପଛୁଆ ବର୍ଗ ସଂରକ୍ଷଣକୁ ପ୍ରସଙ୍ଗ କରିଛନ୍ତି ।

Spread the love