ପୁଣି ତାଇଓ୍ବାନ ଆକାଶରେ ଉଡ଼ିଲା ଚୀନର ପରମାଣୁ ବୋମା ବର୍ଷଣକାରୀ ବିମାନ, ବଢ଼ିଲା ବିବାଦ

ବେଜିଂ ୨୧/୧୧: ତାଇଓ୍ବାନ ଏବଂ ଚୀନ୍‌ ମଧ୍ୟ​‌ରେ ବିବାଦ ଉଗ୍ରରୂପ ଧାରଣ କରିଛି। ତାଇଓ୍ବାନ ଆକାଶରେ ଚୀନର ଦୁଇ ପରମାଣୁ ବୋମା ବର୍ଷଣକାରୀ ବିମାନ ଉଡ଼ିଥିବା ନେଇ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି। ସେପଟେ ଲିଥୁଆନିଆରେ ତାଇଓ୍ବାନକୁ ନିଜର କାର୍ଯ୍ୟାଳୟ ଖୋଲିବା ନେଇ ଅନୁମତି ମିଳିବା ପ​‌ରେ ଚୀନ ଚିନ୍ତାରେ ରହିଛି। ଏହାକୁ ନେଇ ଲିଥୁଆନିଆ ସହ ନିଜର ରାଜନୈତିକ ସମ୍ପର୍କ କମାଇଛି ଚୀନ।

ଚୀନ ଏବଂ ତାଇଓ୍ବାନ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ନିଜର ଅଭିନ୍ନ ଅଂଶ ବୋଲି ତାଇଓ୍ବାନକୁ ଚୀନ ଦାବି କରିଆସିଥିବା ବେଳେ ତାଇଓ୍ବାନ ନିଜକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ବୋଲି ଘୋଷଣା କରିସାରିଛି। ଏହାକୁ ନେଇ ବିଳିବିଳେଇ ହେଉଥିବା ଡ୍ରାଗନ ଭୟ ସୃଷ୍ଟି କରାଇବାକୁ ଯାଇ ତାଇଓ୍ବାନର ବାଶୀ ଚ୍ୟୋନେଲ୍‌ରେ ନିଜର ପରମାଣୁ ବୋମା କ୍ୟାରିୟର H-6s ବିମାନ ଉଡ଼ାଇଛି । ଦୁଇ ଘାତକ ବିମାନ ପରମାଣୁ ବୋମା ବର୍ଷଣ କରିବାରେ ମାହିର।

ଏହା ପୂର୍ବରୁ ଅନେକ ବାର ତାଇଓ୍ବାନ ଉପରେ ନିଜର ଯୁଦ୍ଧ ବିମାନ ଉଡ଼ାଣ କରିସାରିଛି ଚୀନ। ସେପଟେ ତାଇଓ୍ବାନକୁ ଲିଥୁଆନିଆ ସମର୍ଥନ କରୁଥିବାରୁ ଚୀନ ଅସନ୍ତୋଷ ପ୍ରକାଶ କରିବା ସହ ବଡ଼ ନିଷ୍ପତ୍ତି ନେଇଛି । ଲିଥୁଆନିଆ ସହ ନିଜର ଦ୍ବିପାକ୍ଷିକ ସମ୍ପର୍କ କମ୍‌ କରିଛି ଚୀନ। ଏହା ପୂର୍ବରୁ ଚୀନ ଲିଥୁଆନିଆର ରାଷ୍ଟ୍ରଦୂତଙ୍କୁ ଦେଶରୁ ତଡ଼ି ଦେଇଥିଲା ଏବଂ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଥିଲା ।

Spread the love