ମୋଦିଙ୍କ ସହ ନିଜ ଫଟୋ ସେୟାର କଲେ ଯୋଗୀ: କହିଲେ, ‘ଆମେ ବାହାରିଛୁ ଶପଥ ନେଇ…’

ଲକ୍ଷ୍ନୌ ୨୧/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୬ ତମ ଡିଜିପି ଆଇଜିପି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ୩ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଯୋଗୀ ନିଜ ଟ୍ୱିଟର ଆକାଉଣ୍ଟରେ ପିଏମ ମୋଦିଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ଯେଉଁଥିରେ ମୋଦି ଯୋଗୀଙ୍କ କାନ୍ଧରେ ହାତ ପକାଇ ବୁଲୁଥିବା ନଜର ଆସିଛନ୍ତି। ମୋଦି ଯୋଗୀଙ୍କ କାନ୍ଧରେ ହାତ ରଖି ରାଜଭବନ ଗଳିରେ ବୁଲୁଥିବା ଓ ଗମ୍ଭୀର ଆଲୋଚନା କରୁଥିବା ନଜର ଆସିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ରବିବାର ଦିନ ମୋଦିଙ୍କ ସହ ନିଜ ଫଟୋ ସେୟାର କରି ଏକ କବିତା ମାଧ୍ୟମରେ ନିଜ ବିଚାର ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି।” ଏହା ପୂର୍ବରୁ ମୋଦି ସକାଳ ସାଢେ ୯ଟା ରେ ଡିଜିପି ମୁଖ୍ୟାଳୟ ପହଞ୍ଚିଥିଲେ। ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଶୀର୍ଷ ପୋଲିସ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ମୋଦି ସମ୍ମିଳନୀରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ପହଂଚିବା ପରେ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଆଲୋଚନା ଆରମ୍ଭ ହୋଇଥିଲା। ଦେଶର ବିଭିନ୍ନ ରାଜ୍ୟର ଡିଜିପି ଏବଂ ଆଇଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଦିନସାରା ମନ୍ଥନ ଚାଲିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ।

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ଗସ୍ତ କରୁଛନ୍ତି।

Spread the love