କନ୍ଧମାଳରେ ନବୀନ ବାଣ୍ଟିଲେ BSKY, ଉପକୃତ ହେବେ ୧ ଲକ୍ଷ ୬୭ ହଜାର ହିତାଧିକାରୀ
କନ୍ଧମାଳ ଲେଖିଲା ବିକାଶ ନୂଆ କାହାଣୀ। ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୁଲବାଣୀ ଗସ୍ତ କରିବାସହ କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ BSKY ସ୍ମାର୍ଟକାର୍ଡରେ ଯୋଡ଼ି ହୋଇଛନ୍ତି । ଏଥିସହ ଜିଲ୍ଲାର ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ BSKY ସ୍ମାର୍ଟକାର୍ଡ । ପରେ ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ଯଦ୍ୱାରା ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଉପାନ୍ତରୁ ବିକାଶର ଦ୍ୱାର ଦେଶରେ ପହଁଚିବ ।
ସେହିପରି ମୁଖ୍ୟମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି ଏକ ଜନମଙ୍ଗଳକାରୀ କାର୍ଡକୁ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଥିବା ଯୋଜନାର ସଫଳ ରୂପାୟନ ବିଷୟରେ ବାର୍ତ୍ତା ରଖିଥିଲେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରଗତିଶୀଳ ଜିଲ୍ଲାରେ ପରିଣତ ହେବ। ସାଧାରଣ ଲୋକଙ୍କ ଜୀବନଯାପନ ପକ୍ରିୟାରେ ପରିବର୍ତ୍ତନ ହୋଇଛି। କନ୍ଧମାଳ ହଳଦୀ ସମଗ୍ର ବିଶ୍ୱରେ ପରିଚୟକୁ ପ୍ରତିପାଦିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକୀରୀ ସଭିଏଁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସା ହୋଇପାରିବେ। ସାଧାରଣ ଗରିବୀ ଲୋକଟିଏ ଯେପରି ଉନ୍ନତ ଚିକିତ୍ସା ପାଇ ପାରିବ, ତାହା ହିଁ ସରକାରର ମୁଖ୍ୟ ଲକ୍ଷ୍ୟ । ସ୍ୱାସ୍ଥ୍ୟ ପାଇଁ ଜମି, ଅଳଙ୍କାର ଆଦି ବିକ୍ରୟ କରିବାକୁ ପଡ଼ୁଥିଲା। ତାହା ମୁଖ୍ୟମନ୍ତ୍ରୀଙ୍କୁ ବ୍ୟଥିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଏଭଳି ଏକ ଅଭିନବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ପହଁଚାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିବା ସହ ସାଧାରଣ ଲୋକଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେପଟେ ସ୍ଥାନୀୟ ବିଧାୟକ ତଥା ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ସଭାରେ ଉପସ୍ଥିତ ରହିଛନ୍ତି । ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।