୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ କଡା ପଦକ୍ଷପ ନେଉଛି । ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ ନାକା ବନ୍ଦୀ କରିବା ସହ ଶହଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରୁଛି । କିନ୍ତୁ ଗଞ୍ଜେଇ ମଫିଆ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ଜାରି ରଖିଛନ୍ତି । ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା ମିଳିଛି ।

ଜଲାପୁଟ ଅଞ୍ଚଳରୁ ଛତିଶ ଗଡ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସ.ଡ଼ି.ପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ , ଲମତାପୁଟ , ଜଲାପୁଟ ପୋଲିସ ଟିମ୍ ଗଠନ କରି ସଗର ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଗାଡିକୁ ଅଟକାଇବାରୁ ବ୍ୟାରିକେଡ୍ ଭାଙ୍ଗି ଖସି ପଳାଇବାକୁ ଚେଷ୍ଟା କରିଥିଲା । ପୋଲିସ ପିଛା କରିବା ଦେଖି ସଗର ଏବଂ କଞ୍ଚଣା ଗାଁ ମଝିରେ ଗାଡି ଛାଡି ମାଫିଆ ଫେରାର ହୋଇଯାଇଥିଲେ ।

ଗାଡିରେ ରିଲାଏନ୍ସ ଜିଓର ପୋଷ୍ଟୋର ମାରି ଟେଲିକମ ଯନ୍ତ୍ରପାତି ନେବା ଭଳି କାଠ ବାକ୍ସ କରି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆମାନେ । କାଠ ବାକ୍ସରୁ ୧୧ଟି ବସ୍ତାରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ଗାଡିର ନମ୍ବର ଅନୁଯାୟୀ ମାଲିକ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Spread the love