କରତାରପୁର ଗୁରୁଦ୍ୱାରା ସାହିବ ସମ୍ମୁଖରେ ବିନା ଓଢଣୀରେ ପାକିସ୍ତାନୀ ମଡେଲଙ୍କ ଫଟୋଶୁଟକୁ ନେଇ ବିବାଦ

ନୂଆଦିଲ୍ଲୀ ୨୯/୧୧ : କରତାରପୁର ଗୁରୁଦ୍ୱାରା ଦରବାର ସାହିବ ସମ୍ମୁଖରେ ଜଣେ ପାକିସ୍ତାନୀ ମଡେଲଙ୍କ ଫଟୋଶୁଟକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଜ୍ଞାପନର ଫଟୋ ସାମ୍ନାକୁ ଆସିବା ପରେ ଲୋକେ ମଡେଲ ଓ ଉକ୍ତ ବ୍ରାଣ୍ଡକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନୀ ମହିଳାଙ୍କ ପାଇଁ ଅନଲାଇନ କପଡା ବ୍ୟବସାୟ କରୁଥିବା ମନ୍ନତ ଷ୍ଟୋର ଏହି ବିଜ୍ଞାପନ ଶୁଟ କରିଛି। ବ୍ରାଣ୍ଡ ପ୍ରମୋସନ ପାଇଁ କରାଯାଇଥିବା ଏହି ଫଟୋଶୁଟରେ ଦେଖିବାକୁ ମିଳିଛି ମଡେଲ ଖାଲି ପାଦରେ ମୁଣ୍ଡରେ ଓଢଣୀ ନ ପକାଇ ଗୁରୁଦ୍ୱାରା ସମ୍ମୁଖରେ ଫଟୋ ଉଠାଇଛନ୍ତି।

ଫଟୋଶୁଟ କରିଥିବା ମଡେଲ ହେଲେ ସୁଲେହା। ଇନଷ୍ଟାଗ୍ରାମରେ swalaaa_lala ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଫଟୋ ଭାଇରାଲ ହେବାପରେ ୟୁଜର୍ସ ରାଗି ଯାଇଛନ୍ତି।

ଷ୍ଟୋରର ମାଲିକାଣି ମଧ୍ୟ ଫଟୋଶୁଟର ଆପତ୍ତିଜନକ ଫଟୋ ସେୟାର କରିଛନ୍ତି। ମଡେଲ ମଧ୍ୟ ନିଜ ପୋଷ୍ଟରେ ଅଜବ କ୍ୟାପ୍ସନ ଲେଖିଛନ୍ତି। ତେବେ ଶ୍ରଦ୍ଧାଳୁଙ୍କ ଭାବନାକୁ ଆହତ କରିଥିବା ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ମଧ୍ୟ ଲୋକେ ଟିକଟକରେ ଭିଡିଓ କରିଥିଲେ। 

ମଡେଲ ନାଲି ରଙ୍ଗରେ ଡ୍ରେସ ପିନ୍ଧି ଫଟୋଶୁଟ କରୁଥିବା ନଜର ଆସିଛନ୍ତି। ଶିଖମାନଙ୍କ ସବୁଠାରୁ ବଡ ପ୍ରତିନିଧି ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଗୁରୁଦ୍ୱାରା ପରିସରରେ ଏକ ପୋଷ୍ଟର ଲଗାଇଛନ୍ତି ଯେଉଁଥିରେ ଲେଖାଯାଇଛି ଯେ ଏଠାରେ ମନୋରଞ୍ଜନ ପାଇଁ ଫଟୋ କିମ୍ବା ଭିଡିଓ ଶୁଟ କରନ୍ତୁ ନାହିଁ। ତଥାପି ଏଠାରେ ମଡେଲ ଫଟୋଶୁଟ କରିଛନ୍ତି।

ଫଟୋ ଭାଇରାଲ ହେବାପରେ ଦିଲ୍ଲୀ ଶିଖ ଗୁରୁଦ୍ୱାରା ମ୍ୟାନେଜମେଣ୍ଟ କମିଟିର ପୂର୍ବତନ ଅଧ୍ୟକ୍ଷ ପରମଜିତ ସିଂହ ସରନା କହିଛନ୍ତି ଯେ ଏହା ଆପତ୍ତିଜନକ ଏବଂ ଏହା ଆମ ଭାବନାକୁ ଆହତ କରିଛି। ଏହି ପ୍ରସଙ୍ଗକୁ ପାକିସ୍ତାନ ଇଭେକ୍ୟୁଇ ଟ୍ରଷ୍ଟ ପ୍ରପର୍ଟି ବୋର୍ଡର ଚେୟାରମ୍ୟାନ ଡାକ୍ତର ଅମର ଅହମଦଙ୍କ ପାଖରେ ଉଠାଯିବ ବୋଲି ସେ କହିଛନ୍ତି। ପାକିସ୍ତାନ ଶିଖ ମର୍ଯ୍ୟାଦା ପାଳନ କରିବାକୁ ଗୁରୁଦ୍ୱାରାରେ ଉର୍ଦୁ ଭାଷାରେ ମଧ୍ୟ ନିର୍ଦ୍ଦେଶ ଲେଖାଯିବା ଉଚିତ ବୋଲି ସେ କହିଛନ୍ତି।

Spread the love