ହାତୀ ଅଭିଯାନ ନାଁରେ ମାଲାମାଲ୍ ଅଧିକାରୀ, ସରକାରୀ ତହବିଲ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ, ହେଲେ ଫଳ ଶୂନ

ଭୁବନେଶ୍ଵର ୨୯।୧୧:  ହାତୀଙ୍କୁ କୁଙ୍କି ଟ୍ରେନିଂ ଅଭିଯାନ ବିଫଳ ହୋଇଥିବା ବେଳେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ କିନ୍ତୁ ଏଥିରୁ ମୋଟା ଅଙ୍କର ମାଲ କମାଇବାରେ ବେଶ୍ ସଫଳ ହୋଇଛନ୍ତି । କେଉଁଠି ହାତୀଙ୍କୁ ଟ୍ରେନିଂ ଦେବା ଲାଗି ମାହୁନ୍ତ ନିଯୁକ୍ତିରେ ଘୋଟାଲା ତ ଆଉ କେଉଁଠି ଯୋଜନା ବିଫଳ ସତ୍ବେ ସରକାରୀ ତହବିଲ୍‌ରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ।

କୁଙ୍କି ଟ୍ରେନିଂ ଆଳରେ କେଳେଙ୍କାରୀ । ଅଭିଯାନ ବିଫଳ,  ହେଲେ ବାବୁ ସଫଳ । ଯୋଜନା ଫେଲ୍ ସତ୍ତ୍ବେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ହାତୀଙ୍କୁ କୁଙ୍କି ଟେନିଂ ଅଭିଯାନ ଆଳରେ କେମିତି ଚଞ୍ଚକତା ଚାଲିଛି ତା’ର ଗୋଟି ଗୋଟି ହିସାବ, ଲୋକଲୋଚନକୁ ଆଣୁଛି ନ୍ୟୁଜ୍ 7 । ଟ୍ରେନିଂ ଆଳରେ କେମିତି ବର୍ଷ ବର୍ଷ ଧରି ଖୋଲା ଆକାଶ ତଳେ ହାତୀଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା ଦିଆଯାଉଛି , ଆପଣମାନଙ୍କୁ ତା’ର ନିଷ୍ଠୁର ଚିତ୍ର ଦେଖାଇଛୁ ଆମେ ।  ଏବେ ଦେଖନ୍ତୁ କେମିତି କୁଙ୍କି ଅଭିଯାନ ଆଳରେ ଲୁଟ୍ ହେଉଛି ସରକାରୀ ତହବିଲ୍ । ଏଠି ହାତୀଙ୍କୁ ଟ୍ରେନିଂ ଦେବା ପାଇଁ ନିଯୁକ୍ତ ମାହୁନ୍ତଙ୍କ ଦରମା ଭିନ୍ନ ।

ଆସାମରୁ ଆସିଥିବା ମାହୁନ୍ତଙ୍କ ଦରମା ୨୦ହଜାର । ହେଲେ ଓଡ଼ିଆ ମାହୁନ୍ତଙ୍କ ଦରମା ୧୦ ହଜାର । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆଜି ପର୍ଯ୍ୟନ୍ତ ହାତୀଙ୍କୁ କୁଙ୍କି ଟ୍ରେନିଂ ପାଇଁ ନିଯୁକ୍ତ ଆସାମୀ ମାହୁନ୍ତ ସଫଳ ହୋଇନଥିବା ବେଳେ ବାରମ୍ବାର ମାହୁନ୍ତଙ୍କୁ ବଦଳି କରାଯାଉଛି । ସେପଟେ ନିଯୁକ୍ତ ମାହୁନ୍ତଙ୍କୁ ମଧ୍ୟ ଚୁକ୍ତି ଅନୁସାରେ ଦରମା ମିଳୁନଥିବା ଏବଂ ଚୁକ୍ତି ଅନୁସାରେ ଆବଶ୍ୟକ ମାହୁନ୍ତ ନିଯୁକ୍ତି ହୋଇନଥିବା ସତ୍ବେ ମାହୁନ୍ତଙ୍କ ଦରମା ବାବଦକୁ ବିଲ୍ କରାଯାଉଛି ।

ମଜା କଥା ହେଉଛି ହାତୀଙ୍କୁ କୁଙ୍କି ଟ୍ରେନିଂ ଦେବା ପାଇଁ ନିଯୁକ୍ତ ହୋଇଥିବା ଆସାମି ମାହୁନ୍ତଙ୍କୁ ଆସାମର କୌଣସି ସଂସ୍ଥା ପକ୍ଷରୁ ଟ୍ରେନିଂ ଦିଆଯାଇନାହିଁ । ବିନା ଟ୍ରେନିଂରେ ଏହି ଆସାମୀ ମାହୁନ୍ତ ହାତୀଙ୍କୁ କ’ଣ କୁଙ୍କି ଟ୍ରେନିଂ ଦେବେ ଆଉ କାହା ସ୍ବାର୍ଥରେ ଏଭଳି ମାହୁନ୍ତଙ୍କୁ ନିଯୁକ୍ତି ଦିଆଯାଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।

୨୦ହଜାର ଦରମା କଥା ଶୁଣି ହସୁଛନ୍ତି ଆସାମି ମାହୁନ୍ତ । ଏହାର ମାନେ କ’ଣ  ହୋଇପାରେ । ଏହାର ଅର୍ଥ ଏୟା ଯେ, ଏଠି ମାହୁନ୍ତଙ୍କ ଦରମା ବାବଦ ଟଙ୍କା ବି ଚଳୁକରୁଛନ୍ତି ଜଙ୍ଗଲି ବାବୁ । ଦୀର୍ଘ ୧୦ବର୍ଷ ହେଲାଣି ହାତୀଙ୍କୁ କୁଙ୍କି ଟ୍ରେନିଂ ନାଁରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଯାହାର କିଛି ସୁଫଳ ଦେଖିବାକୁ ମିଳୁନି । ବରଂ ଏହି ଟଙ୍କାକୁ ଜଙ୍ଗଲ ବିଭାଗର କିଛି ଅସାଧୁ ଅଧିକାରୀ ନିଜ ଟ୍ରେଜେରିରେ ଭର୍ତ୍ତି କରି ନିଜର ଆୟ ବହିର୍ଭୁତ ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି ।

Spread the love