ତଳ ଆଡୁ ଓଡିଶା ଦ୍ଵିତୀୟ, ଆୟରେ ଏହି ରାଜ୍ୟ ଶୀର୍ଷରେ

ଭୁବନେଶ୍ଵର ୩୦।୧୧: ଚାଷୀଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଅନେକ ଯୋଜନା କରୁଛନ୍ତି। ହେଲେ ଚାଷୀଙ୍କ ଆୟରେ ସେତେଟା ଆଖି ଦୃଶିଆ ଉନ୍ନତି ଦେଖିବାକୁ ମିଳୁନି। ଏସବୁ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟର ତଥ୍ୟ ଲୋକସଭାରେ ଉପସ୍ଥାପନ କରିଛନ୍ତି।  ଓଡ଼ିଶା ଚାଷୀଙ୍କ ମାସିକ ଆୟ ଦେଶରେ ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି । କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି।

ଚାଷୀଙ୍କ ଆୟ କ୍ଷେତ୍ରରେ ଓଡିଶା ତଳ ଆଡୁ ଦ୍ବିତୀୟ । ଓଡିଶା ତଳକୁ ରହିଛି କେବଳ ଝାଡଖଣ୍ଡ । ଲୋକସଭାରେ ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ରର ଏଭଳି ତଥ୍ୟରୁ ସ୍ପଷ୍ଟ ଯେ ଓଡିଶା ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଯାହା ସବୁ ଯୋଜନା ହେଉଛି ସେଥିରେ ଘଳିଆ ପଡିଛି । କେନ୍ଦ୍ର କୃଷିମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୨୦୧୮-୧୯ରେ ଓଡିଶା ଚାଷୀଙ୍କ ମାସିକ ଆୟ ରହିଛି ୫ ହଜାର ୧୧୨ ଟଙ୍କା। ଏହି ସମୟରେ ଝାଡଖଣ୍ଡ ଚାଷୀଙ୍କ ଆୟ ଥିଲା ୪ ହଜାର ୮୯୫ ଟଙ୍କା ।  ମେଘାଳୟ ଭଳି ଛୋଟ ରାଜ୍ୟରେ ଚାଷୀଙ୍କ ମାସିକ ଆୟ ୨୯ ହଜାର ୩୪୮ ସହ ଏକ ନମ୍ବରରେ ରହିଛି ।

ଦ୍ବିତୀୟରେ ଅଛି ପଞ୍ଜାବ। ପଞ୍ଜାବ ଚାଷୀଙ୍କ ମାସିକ ଆୟ ୨୬ ହଜାର ୭୦୧ ଟଙ୍କା । ତା ତଳକୁ ଅଛି ହରିଆନା । ହରିୟାଣା ଚାଷୀଙ୍କ ମାସିକ ଆୟ ରହିଛି ୨୨ ହଜାର ୮୪୧ । ଏମିତିକି ଆସାମ ଭଳି ରାଜ୍ୟରେ ଚାଷୀଙ୍କ ଆୟ ଓଡିଶା ଚାଷୀଙ୍କ ଆୟର ୨ଗୁଣ ହେଲାଣି । ଲୋକସଭାରେ କଂଗ୍ରେସ ସାଂସଦ ସପ୍ତଗିରୀ ଉଲ୍ଲାକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର କୃଷିମନ୍ତ୍ରୀ ଏଭଳି ତଥ୍ୟ ରଖିଛନ୍ତି । ଯେତେବେଳେ ଜାତୀୟ ହାର ୧୦ ହଜାର ୨୧୮ ଟଙ୍କା ରହିଛି ସେଠି ଓଡିଶା ଚାଷୀ କେତେ ତଳେ ତାହା ବାରିହୋଇ ପଡୁଛି ।

ସେପଟେ ଓଡିଶାରେ ଚାଷୀଙ୍କ ଆୟ ବଢିବ କଣ ବରଂ କମିବାରେ ଲାଗିଛି । ୨୦୧୫-୧୬ରେ ଓଡିଶା ଚାଷୀଙ୍କ ଆୟ ୭ ହଜାର ୭୩୧ ଥିବାବେଳେ ଏବେ କମି କମି ୫ହଜାର ଛୁଇଁଲାଣି । ଚାଷୀଙ୍କ ସମ୍ପର୍କିତ ଏଭଳି ରିପୋର୍ଟ ଓଡିଶା ଚାଷୀଙ୍କ ପାଇଁ ଚିନ୍ତା ବଢାଇଛି । ତଥ୍ୟ ଅନୁସାରେ ଓଡିଶାରେ ଚାଷୀମାନେ  ଚାଷ କାମ ପାଇଁ ମାସକୁ ୧୫୮୭ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆସାମ ଚାଷୀ ୧୨୦୦ ଟଙ୍କା ଖର୍ଚ୍ଚ କରି ଓଡିଶା ଚାଷିଙ୍କ ଠାରୁ ୨ ଗୁଣା ଆୟ କରୁଛନ୍ତି । ଓଡିଶା ଚାଷୀଙ୍କ ଆୟ ବଢାଇବାକୁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କାଳିଆ ସହାୟତା ଠାରୁ ନୂଆ କୃଷିନୀତି ଅନୁଯାୟୀ ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସହାୟତା ଦିଆଯାଉଛି ।

ପଶୁ ସଂପଦ ବିକାଶ ପାଇଁ ବି କୋଟି କୋଟି ଖର୍ଚ ହେଉଛି । କୃଷି ପାଇଁ ସ୍ବତନ୍ତ୍ର ବଜେଟ ହେଉଛି। କେନ୍ଦ୍ର ସରକାର ବି ପିଏମ କିଶାନ ଯୋଜନାରେ ଅର୍ଥ ଦେଉଛନ୍ତି । ସାର, ଔଷଧ, ବିହନ ଉପରେ ସବସିଡି ମିଳୁଛି । ହେଲେ ଗ୍ରାଉଣ୍ଡ ଜିରୋ ରିପୋର୍ଟ କିନ୍ତୁ ଉତ୍ସାହ ଜନକ ନୁହେଁ । ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ।

କୃଷି ବିକାଶ କ୍ଷେତ୍ରରେ ରାଜ୍ୟକୁ ଅନେକ ଥର କୃଷି କର୍ମଣ ପୁରସ୍କାର ମିଳିଛି । କିନ୍ତୁ କୃଷକଙ୍କ ଆୟ ଆଖିଦୃଶିଆ ବଢୁନି । ତାହା ଜଳଜଳ ଦିଶୁଛି ।

Spread the love