ବାତ୍ୟା ‘ଜୱାଦ’: ୪ରେ ଛୁଇଁବ ଉପକୂଳ

ଭୁବନେଶ୍ୱର ୦୨।୧୨: ବଙ୍ଗୋପସାଗରରେ ଘନୀଭୁତ ହେଉଛି ଘୂର୍ଣ୍ଣି ବଳୟ। ଏବେ ଆଣ୍ଡାମାନ ସାଗର ଅଞ୍ଚଳରେ ଏମିତି କିଛି କେନ୍ଦ୍ରୀଭୂତ ହୋଇ ରହିଛି। ଆଗକୁ ଆହୁରି ସକ୍ରିୟ ହେବ। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ଡିପ୍ରେସନର ରୂପ ନେବ। ୪ ତାରିଖ ସକାଳେ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ତେବେ କେଉଁଠାରେ ଏହା ସ୍ଥଳଭାଗ ଅତିକ୍ରମ, କେଉଁ କେଉଁ ଅଞ୍ଚଳରେ ଏହାର ପ୍ରଭାବ କେତେ ରହିବ ତାହା କାଲି ଜଣାପଡିବ । ତେବେ ବର୍ତ୍ତମାନର ସ୍ଥିତିକୁ ଯାହା ଜଣାଯାଉଛି ଏହାର ପ୍ରଭାବରେ ଡିସେମ୍ବର ୩ ରୁ ଉପକୂଳ ଅଞ୍ଚଳରେ ବର୍ଷା ହେବ। ୪ରେ ପବନ ସହ ବର୍ଷାର ପରିମାଣ ବଢିବ । ୫ ତାରିଖ ବେଳକୁ ବର୍ଷାର ପରିମାଣ କମିବ।

ତେବେ ବାତ୍ୟାର ପ୍ରଭାବ ଓଡ଼ିଶା, ଆନ୍ଧ୍ର ଓ ବାଲାଂଦେଶରେ ପଡିବ । ୪ ତାରିଖରେ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କଟକ। କାଲିଠାରୁ ରାଜ୍ୟରେ ପାଗ ବଦଳିବା ଆରମ୍ଭ କରିବ । ବାତ୍ୟା ରୂପ ନେଲେ ଏହାର ନାଁ ଜୱାଦ ହୋଇପାରେ। ଏହାର ପ୍ରଭାବ ଗୁଲାବ ଠାରୁ ଅଧିକ ରହିବ କିନ୍ତୁ ଫନି ଠାରୁ କମ ରହିବ । ବାତ୍ୟା ଉପକୂଳ ଛୁଇଁବା ବେଳକୁ ପାଖାପାଖି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପେ ଏହା ଉପକୂଳ ଛୁଇଁବ, ତେଣୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ମାତ୍ରାରେ ଦେଖିବାକୁ ମିଳିପାରେ ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ତଳିଆ ଅଞ୍ଚଳ ଲୋକଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବା, ଫାୟାର,ଓଡ୍ରାଫ, ଏନଡ଼ିଆରଏଫ ଟିମ୍ କୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଉପକୂଳ ଜିଲ୍ଲାଗୁଡିକ ସହ ନୟାଗଡ ଓ ମୟୁରଭଞ୍ଜ ଜିଲ୍ଲାର ପ୍ରଶାସନ ଆଲର୍ଟ ରହିବାକୁ କୁହାଯାଇଛି । ୨ ଶହଟି ଫାୟାର ଟିମ୍ ପ୍ରସ୍ତୁତ ରଖିବା ଉପରେ ଜୋର ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Spread the love