ବାତ୍ୟା ‘ଜୱାଦ’, ପାରାଦୀପରେ ସର୍ବାଧିକ ବର୍ଷା

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ସକାଳ ୭ଟା ୩୦ ସୁଦ୍ଧା ରାଜ୍ୟର ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଗୋପାଳପୁରରେ ୪୩.୩ ମିଲିମଟର, ପୁରୀରେ ୪୦ ମିଲିମିଟର, ଭୁବନେଶ୍ୱରରେ ୧୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ପ୍ରାୟ ସ୍ଥାନରେ ବର୍ଷା ହେଉଛି ।

ବାତ୍ୟା ପ୍ରଭାବରେ ଏବେ ପୁରୀରେ ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି । ସେହିଭଳି ପାରାଦୀପରେ ଘଣ୍ଟାପ୍ରତି ୧୦ କିଲୋମିଟର ଓ ଗୋପାଳପୁରରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପବନ ବୋହୁଛି । ବାତ୍ୟା ପୁରୀ ଠାରୁ ୪୩୦ କିଲୋମିଟର ଦୂରରେ ରହିଛି । କିଛି ସମୟ ପରେ ବାତ୍ୟା ‘ଜୱାଦ’ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ବର୍ଷା ସହ ପବନର ବେଗ ବଢ଼ିବ ।

ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ପବନ ହେବ । ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଟ୍ୱିନସିଟିରେ ଦିନ ତମାମ୍ ବର୍ଷା ଲାଗି ରହିବ । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ । ବାତ୍ୟା ‘ଜୱାଦ’ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ୨ରୁ ୪ ମିଟର ଉଚ୍ଚରେ ଜୁଆର ଆସିବ । ପୁରୀ ଓ ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି ।

Spread the love