ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଅଭିନେତା କମଲ୍‌ ହାସନ

ନୂଆଦିଲ୍ଳୀ ୦୫।୧୨ : ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇଯାଇଛନ୍ତି। ହସ୍ପିଟାଲରେ ୨ ସପ୍ତାହର ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି। ଏହାପରେ ସେ ସିଧା ନିଜ ଘରକୁ ଫେରିଛନ୍ତି। ଚିକିତ୍ସା ସମୟରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସମସ୍ତ ଫ୍ୟାନଙ୍କୁ କମଲ ହାସନ ଧନ୍ୟବାଦ ଜଣାଇଛନ୍ତି ।

କମଲ ହାସନ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ମେଡିକାଲ ସେଣ୍ଟର୍‌ରୁ ଡିସଚାର୍ଜ ହେବା ବେଳର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କମଲ ହାସନ ମଧ୍ୟ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରି ତାଙ୍କର ଚିକିତ୍ସା କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନଭେମ୍ବର ମାସରେ ହାସନ ଆମେରିକାର ଚିକାଗୋ ଯାଇଥିଲେ। ସେଠାରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ ନଭେମ୍ବର ୨୨ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଗତକାଲି ଡିସଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ଘରକୁ ଯିବା ପୂର୍ବରୁ ସେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌ ସହ ଫଟୋ ମଧ୍ୟ ଉଠାଇଛନ୍ତି।

Spread the love