ବିଧାୟକ ସରୋଜ ମେହେର ଜଣେ ସରକାରୀ ଇଂଜିନିୟରଙ୍କୁ ଉଠବସ କରାଇବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି? : ବିଜେପି

ଜଣେ ସରକାରୀ ଇଂଜିନିୟରଙ୍କୁ ରାଜରାସ୍ତାରେ ସର୍ବସମ୍ମୁଖରେ ପାଟଣାଗଡ ବିଧାୟକ ସରୋଜ ମେହେର ଉଠବସ କରାଇବା ପରେ ବି ଆଜି ପର୍ଯ୍ୟନ୍ତ ବିଧାୟକଙ୍କୁ ଗିରଫ କରାଯାଇନାହିଁ । ଘଟଣାକୁ ୧୪ ଦିନ ବିତିଥିଲେ ବି ପୋଲିସ ଚୁପ ବସିଛି । ଖୋଦ୍ ବିଧାୟକ ଜୁନିୟର ଇଜିଂନିୟର ଜୟକାନ୍ତ ଶବରଙ୍କୁ ଉଠ ବସ କରାଇଥିବା କଥା ମାନି ସାରିଛନ୍ତି । ଏଥି ସହ ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ନିଜେ ତାଙ୍କ ରିପୋର୍ଟରେ ଲେଖି ସାରିଛନ୍ତି କି ବିଧାୟକ ଦୋଷ କରିଛନ୍ତି । ଏହା ସତ୍ୱେ ବି ବିଧାୟକଙ୍କ ପ୍ରତି
କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇ ଏ ଘଟଣାକୁ ଗୁରୁତର ଭାବେ ନନେଇ ନବନିର୍ବାଚିତ ବିଧାୟକଙ୍କୁ ସୁରକ୍ଷା
ଯୋଗାଉଛନ୍ତି । ଆଇନ ତା ବାଟରେ ଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ନିଜ ଦଳର ନବନିର୍ବାଚିତ ବିଧାୟକଙ୍କ ଦୋଷ ଘୋଡାଇ କାହିଁକି ଚୁପ ବସିଛନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆଦିବାସୀ ବିରୋଧୀ । ପୂର୍ବରୁ ଶାସକ ଦଳର ଅନେକ ନେତା
ଆଦିବାସୀ, ଦଳିତ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିବା ପରେ ଆଇନକୁ ବାଟବଣା କରିଛନ୍ତି । ଆଦିବାସୀ ଏବଂ ପଛୁଆ ବର୍ଗର ଲୋକମାନଙ୍କ ପାଇଁ କଣ ରାଜ୍ୟରେ କୌଣସି ଆଇନ ଲାଗୁ ହେଉନାହିଁ । ଶାସକ ଦଳର ବିଧାୟକ ସରକାରୀ ଅଫିସରଙ୍କୁ ଅସମ୍ମାନ କରିବା ପରେ ବି ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନ ଚୁପ ରହିଛି । ସମୟ ଗଡାଇ ବିଧାୟକଙ୍କୁ ବେଲ୍ କରାଇ ଖସାଇଦେବା ପାଇଁ ଷଡଯନ୍ତ୍ର ରଚାଯାଇଛି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ଏଭଳି ଏକ ସମ୍ବେଦନଶିଳ ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ? ଜଣେ ଆଦିବାସୀ
ଯୁବକର ଅଧିକାର, ତାଙ୍କର ସମ୍ମାନକୁ ଗୋଇଠା ମାରିଥିବା ଜଣେ ବିଧାୟକ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ଦରଦ କାହିଁକି ? ଏଥିରୁ
ପ୍ରମାଣିତ ହେଉଛି ଯେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ବିଧାୟକ ସରୋଜ ମେହେର ପବିତ୍ର ବିଧାନସଭାର
ଗାରିମାକୁ ହାନି କରିଛନ୍ତି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯାଉ ।
ବିଧାୟକ ନିଜେ ନଜି ର କ୍ରିମିନାଲ ଅଫେନସକୁ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ସ୍ୱିକାର କରିଛନ୍ତି ।

ତାହା ହେଲେ ପୋଲିସକୁ ଆଉ କେଉଁ ବଡ ପ୍ରମାଣ ଦରକାର ? ପୋଲିସ କାହିଁକି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରୁନାହିଁ ? ପୋଲିସ ତୁରନ୍ତ ଭାରତୀୟ ପିଙ୍ଗଲ କୋଡ୍ ଅନୁଯାୟୀ ବିଧାୟକଙ୍କୁ ଗିରଫ କରାଯାଉ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର  ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

Spread the love