ଜୁଲାଇ ୬ରୁ ବିଜେପିର ସଦସ୍ୟତା ଅଭିଯାନ

ଜୁଲାଇ ୬ ତାରିଖଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବ। ପରେ ନୂତନ ଦାୟିତ୍ୱ ବଣ୍ଟନ କରାଯିବ। ପ୍ରତି ବୁଥ୍‌ ସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହାଛଡ଼ା ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ବାତ୍ୟା ‘ଫୋନି’ ପରେ ରାଜ୍ୟସରକାର ବାତ୍ୟା ପ୍ରପୀଡ଼ିତଙ୍କୁ ଥଇଥାନ କରାଇବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ବିଦ୍ୟୁତ, ପିଇବା ପାଣି, ପଲିଥିନ, ଶୁଖିଲା ଖାଦ୍ୟ ଓ ଦରକାରୀ ଔଷଧ ଯୋଗାଇବାରେ ମଧ୍ୟ ଫେଲ୍‌ ମାରିଛନ୍ତି।

ଧାନ କିଣା ବିକାରେ ବ୍ୟାପକ ଅନିୟମିତତା ହୋଇଛି। ମିଲର୍ସମାନେ ମନମୁଖୀ କାରବାର କରୁଥିବା ବେଳେ ମନ୍ତ୍ରୀ ଓ ଅଫିସରମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଆଜିବି ଅନେକ ମଣ୍ଡିରେ ଧାନ ଉଠିନାହିଁ। ଏପରିକି ଧାନ ବିକିଥିବା ଚଷୀଙ୍କୁ ପଇସା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଏହା ଉପରେ ସରକାର ତୁରନ୍ତ ଧ୍ୟାନ ଦେବା ଦରକାର। ଏହା ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

Spread the love