ସିଡିଏସ୍ ଜେନେରାଲ ବିପିନ ରାୱତ: ରକ୍ତରେ ଥିଲା ସେନା ହେବାର ଜୋସ, ବାପା ବି ଥିଲେ ସେନା ଅଧିକାରୀ

ନୂଆଦିଲ୍ଲୀ ୦୮/୧୨ : ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦିନ ତାମିଲନାଡୁ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିଲେ। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣକ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଛି।

ବିପିନ ରାୱତ ମୂଳତଃ ଉତ୍ତରାଖଣ୍ଡ ବାସିନ୍ଦା। ସେ ୧୯୫୮ ମସିହା ମାର୍ଚ୍ଚ ୧୬ ତାରିଖରେ ଉତ୍ତରାଖଣ୍ଡ ପୋୖଡିରେ ଜନ୍ମ ହୋଇଥିଲେ। ବିପିନ ରାୱତଙ୍କ ଅନେକ ପିଢ଼ି ସେନାରେ ସେବା କରିଛନ୍ତି। ତାଙ୍କ ପିତା ଲକ୍ଷ୍ମଣ ସିଂହ ଲେଫ୍ଟେନାଣ୍ଟ ଜେନେରାଲ ଥିଲେ। ତାଙ୍କ ମା’ଙ୍କ ଘର ଉତ୍ତରକାଶୀ ଏବଂ ସେ ପୂର୍ବତନ ବିଧାୟକ କିଶନ ସିଂହ ପରମାରଙ୍କ ଝିଅ। ଜେନେରାଲ ରାୱତଙ୍କ ଦୁଇ ଝିଅ।

ଜେନେରାଲ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ଭାଇବ୍ସ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଥିଲେ ଏବଂ ଶହୀଦଙ୍କ ଆଶ୍ରିତଙ୍କ ଲାଭ ପାଇଁ ଚାଲୁଥିବା ଅଭିଯାନରେ ସକ୍ରିୟ ଥିଲେ। ଆର୍ମି ଭାଇବ୍ସ ୱେଲଫେୟାର ଆସୋସିଏସନ ଦେଶର ସବୁଠାରୁ ବଡ ସ୍ୱଚ୍ଛେସେବୀ ସଂଗଠନ ମଧ୍ୟରୁ ଗୋଟିଏ। ଏହି ସଂଗଠନ ସ୍ଥାପନ ହେବା ଦିନରୁ ଆର୍ମି ଯବାନଙ୍କ ପତ୍ନୀ, ସେନା କର୍ମୀଙ୍କ ଆଶ୍ରିତଙ୍କ ସାମାଜିକ ସଶକ୍ତିକରଣ ଓ କୌଶଳ ନିର୍ମାଣ କାମ କରୁଛି।

ବିପିନ ରାୱତ ଡେରାଡୁନ ଓ ଶିମଲାରେ ପଢ଼ିଛନ୍ତି। ପଢା ସରିବା ପରେ ସେ ଡେରାଡୁନ ଏନଡିଏ ଓ ଆଇଏମଏ ସେନାରେ ପ୍ରବେଶ କରିଥିଲେ। ସେ ୧୯୭୮ ରେ ସେନାରେ ସାମିଲ ହୋଇଥିଲେ। ସେ ମେରଠ ୟୁନିଭର୍ସିଟିରୁ ମିଲିଟାରୀ-ମିଡ଼ିଆ ଷ୍ଟ୍ରାଟେଜିକ ଷ୍ଟଡ଼ିଜରେ ପିଏଚଡି କରିଥିଲେ।

ଜେନେରାଲ ଦଲବୀର ସିଂହ ସୁହାଗଙ୍କ ପରେ ୨୦୧୬ ଡିସେମ୍ବର ୧୭ ଜେନେରାଲ ବିପିନ ରାୱତ ଭାରତୀୟ ସେନାରେ ୨୭ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୦ ଜାନୁଆରୀ ୧ ତାରିଖରେ ପ୍ରଥମଥର ପାଇଁ ସେ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତ ହୋଇଥିଲେ।

ବିପିନ ରାୱତ ଉଚ୍ଚତମ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଅନେକ ବର୍ଷ ଯାଏଁ କାମ କରିଛନ୍ତି। ତାଙ୍କର ଉତ୍କୃଷ୍ଟ କାମ ପାଇଁ ତାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ କରାଯାଇଛି। ତାଛଡା ତାଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ ଆଦିରେ ସମ୍ମାନିତ କରାଯାଇଛି।

Spread the love