ଗଣମାଧ୍ୟମର କଣ୍ଠରୋଧ କରୁଛି କିଏ? ବର୍ଷକରେ ୨୪ଜଣ ସାମ୍ବାଦିକଙ୍କୁ କରାଯାଇଛି ହତ୍ୟା, ସବୁଠୁ ଅସୁରକ୍ଷିତ ଦେଶ ଭାରତ!

ନୂଆଦିଲ୍ଲୀ ୧୦/୧୨ : ଗଣମାଧ୍ୟମ ହେଉଛି ସମାଜର ତୃତୀୟ ନୟନ । ଖବରର ଭିଡ ଭିତରେ ବେଳେବେଳେ ଖବର ହୋଇଯାନ୍ତି ସାମ୍ବାଦିକ । କେତେବେଳେ ରାଜନୈତିକ ଆକ୍ରୋଶର ଶିକାର ତ ଆଉ କେତେବେଳେ ଚାପର ବଶବର୍ତ୍ତୀ ହେଉଛି ସାମ୍ବାଦିକ । କେବଳ ଭାରତରେ ନୁହେଁ ଅନ୍ୟଦେଶମାନଙ୍କରେ ମଧ୍ୟ ଖବର ପରିବେଶଣ କରି ଆକ୍ରୋଶର ଶିକାର ହେବାକୁ ପଡିଛି । ଜୀବନ ବି ଯାଉଛି ।

ଏଭଳି ଏକ ରିପୋର୍ଟ ଅନୁଯାୟୀ, ଚାଇନାରେ ବର୍ତ୍ତମାନ ସବୁଠାରୁ ଅଧିକ ସାମ୍ବାଦିକ ବନ୍ଦୀ ଜୀବନ ବିତାଉଛନ୍ତି । ସେହିଭଳି ଭାରତ ଏବଂ ମେକ୍ସିକୋରେ ସାମ୍ବାଦିକମାନେ ହତ୍ୟାର ଶିକାର ହେବାରେ ନମ୍ବର ୧ । କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟସ୍‌ CPJ ଜାରି କରିଥିବା ରିପୋର୍ଟରେ ଗଣମାଧ୍ୟମର ସ୍ବାଧିନତାକୁ ନେଇ ଏଭଳି ତଥ୍ୟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, କେବଳ ୨୦୨୧ ମସିହାରେ ବିଶ୍ବରେ ପ୍ରାୟ ୨୪ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସେହିଭଳି ବିଶ୍ବରେ ଭାରତ ହେଉଛି ସାମ୍ବାଦିକଙ୍କ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ଦେଶ । ପ୍ରତିବର୍ଷ ଭାରତରେ ସାମ୍ବାଦିକଙ୍କୁ ହତ୍ୟା ମାମଲା ବୃଦ୍ଧିପାଇବାରେ ଲାଗିଛି । ଚୀନ, ମେକ୍ସିକୋ, ଉତ୍ତର କୋରିଆ ଏବଂ ଭାରତ ଭଳି ଦେଶରେ ସ୍ବାଧିନ ଭାବେ ସାମ୍ବାଦିକତା କରିବା ବିପଦପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । ମେକ୍ସିକୋରେ ବର୍ଷକରେ ସର୍ବାଧିକ ୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସେହିଭଳି ଭାରତରେ ୪ ଜଣ ସାମ୍ବାଦିକଙ୍କୁ ହତ୍ୟାକରାଯାଇଛି । ସେହିଭଳି ଆନ୍ଦୋଳନ ବେଳେ ଭାରତରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ।

ଚୀନରେ ସର୍ବାଧିକ ୫୦ ଜଣ ସାମ୍ବାଦିକଙ୍କୁ ବନ୍ଦୀ କରି ରଖାଯାଇଛି । ୨୦୨୨ ବେଜିଂ ଅଲିମ୍ପିକ୍ସ ଚୀନରେ ଆୟୋଜିତ ହେବାକୁ ଥିବା ବେଳେ ସେଠାରେ ବାରମ୍ବାର ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ସେହିଭଳି ଅନ୍ୟଦେଶମାନଙ୍କ କଥା କହିବାକୁ ଗଲେ, ମିଆଁମାରରେ ୨୬ ଜଣ ସାମ୍ବାଦିଙ୍କୁ କୌଣସି ନା କୌଣସି ମାମଲାରେ ଫସାଇ ବନ୍ଦି କରାଯାଇଛି । ଇଜିପ୍ଟରେ ୨୫ ଜଣ, ଭିଏତନାମରେ ୨୩ ଜଣ, ବେଲାରୁଷରେ ୧୯ ଜଣ ସାମ୍ବାଦିକଙ୍କୁ ବନ୍ଦିଭାବେ ରଖାଯାଇଛି । ତୁର୍କୀ, ସାଉଦି ଆରବ, ଋଷିଆ, ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ସମାନ ପରିସ୍ଥିତି ।

ସିପିଜେର ନିର୍ଦେଶକ ଜୋଏଲ ସିମୋନ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଗିରଫ କରିବା କିମ୍ବା ଧମକଚମକ ଦେବା ମାମଲା ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅନେକ ଦେଶରେ ଗଣମାଧ୍ୟମର କଣ୍ଠରୋଧ ପାଇଁ ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି କିମ୍ବା ଗିରଫ କରି ବନ୍ଦି କରାଯାଉଛି । ଗତ ୬ ବର୍ଷ ହେଲା ସିପିଜେ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଉଛି । ପ୍ରତିଥର ସାମ୍ବାଦିକମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।

Spread the love