ଲଗାଣ ବର୍ଷା ପାଇଁ କୋବି ଫସଲରେ ପୋକ, ଚିନ୍ତାରେ ଚାଷୀ
ବାଙ୍କୀ,୧୩/୧୨: ବାତ୍ୟା ଟଳିଲା । ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢିଗଲା । ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଏବେ ବାଙ୍କୀ ଡମପଡା ବ୍ଲକରେ କୋବି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଡମପଡା ବ୍ଲକ୍ ଅନ୍ତର୍ଗତ ସିମିଳିପୁର, କରବର ,ଚାରିଘେରିଆ ମକୁନ୍ଦପୁର ଆଦି ଅଞ୍ଚଳର ଶତାଧିକ ଚାଷୀଙ୍କ ଶହଶହ ହେକ୍ଟର ଫୁଲ ଓ ବନ୍ଧାକୋବି ଫସଲ ସମ୍ପୂର୍ଣ୍ଣ ପଚି ସଢି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।ଧାର କରଜ ସୁଝିବା ସହ ପରିବାର ଗୁଜୁରାଣ କିପରି ମେଣ୍ଟାଇବେ ତାକୁ ନେଇ ସେମାନେ ଚିନ୍ତାରେ ।
ଗୋଟିଏ ପରେ ଗୋଟିଏ ଦୈବ ଦୁର୍ବିପାକ ଚାଷୀର ଦୁଃଖକୁ ବଢ଼ାଇ ଦେଉଛି ।ସେପଟେ ଏବେବି ପାଗ ମେଘୁଆ ରହିଛି । ଯେଉଁ କୋବି ଗଛ ରହିଛି ସେଥିରେ ପୋକ ଲାଗିଛି । ଔଷଧ କାମ କରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତ ଚାଷୀ । ଶୀତ ଦିନିଆ ପନିପରିବା ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବେ କିପରି ଚଳିବେ ତାକୁ ନେଇ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ପ୍ରଶାସନ ଆସି ବୁଲି ଯାଉଛନ୍ତି ଓ କେବଳ ଅଶ୍ୱସନା ଦେବା ସହ ସରକାରୀ ସ୍ତରରୁ ଯାହା ସୁବିଧା ସୁଯୋଗ ଆସିବ ତାହା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ।ପ୍ରଶାସନ ଆଗକୁ କି ପଦକ୍ଷେପ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେଉଛନ୍ତି ତାହାକୁ ଅପେକ୍ଷା ।