ଚୋରି ଉପରେ ସିନା ଚୋରି ଭଳି କାମ କରୁଛି ବିଜେଡି:ମୋହନ ମାଝୀ

 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ସାଂସଦଙ୍କ ଦାବୀ ପତ୍ର ଭିତିହୀନ 

 ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସ୍ୱୀକାର କରିଛନ୍ତି ତାଙ୍କ 

କାରଣରୁ ହିଁ ଗରିବ ଲୋକ ଘର ପାଇବାରୁ ବଂଚିତ ହୋଇଛନ୍ତି 

 ଦୁର୍ନୀତି, ଅପାରଗତାକୁ ଲୁଚାଇବା ତଥା ଜନଆକ୍ରୋଶରୁ ବର୍ତିବା ପାଇଁ ହୀନ ଉଦ୍ୟମ କରୁଛି ବିଜେଡି 

 ଘର ଆବଂଟନରେ ରାଜ୍ୟ ସରକାରଙ୍କ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ କେବିକେ ସମେତ ଆକାଂକ୍ଷୀ 

ଜିଲ୍ଲାକୁ ନଗଣ୍ୟ କରାଯାଇଛି 

 ପଂଚାୟତ ନିର୍ବାଚନ ସମୟରେ ଆବାସ ଯୋଜନାର କଥା ମନେପଡିବା ବିଡ଼ମ୍ବନାର ବିଷୟ 

 ମୁଖ୍ୟମନ୍ତ୍ରୀଙ୍କ ସରକାରରେ ରାଜ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା ତଥା ୧ ହଜାର 

କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦୁର୍ନୀତି ହୋଇଥିବା ତଥ୍ୟ ରହିଛି 

ଭୁବନେଶ୍ୱର : ଆଗାମୀ ପଂଚାୟତ ନିର୍ବାଚନରେ ଦୁର୍ନୀତି, ଅପାରଗତାକୁ ଲୁଚାଇବା ତଥା ଜନ ଆକ୍ରୋଶରୁ ବର୍ତିବା ପାଇଁ ବିଜେଡି ବାରମ୍ବାର କେନ୍ଦ୍ର ଉପରେ ଦୋଷ ଦେବା ପାଇଁ ହୀନ ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୋରି, ପୁଣି ସିନା ଚୋରୀ ଭଳି କାମ ନ କରି ପ୍ରଥମେ ବିଜେଡି ପକ୍ଷରୁ ରାଜ୍ୟରେ ଘର ନିର୍ମାଣରେ ହେଉଥିବା ଦୁର୍ନୀତି ବନ୍ଦ କରାଯାଉ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି । ସେ କହିଛନ୍ତି ଯେ ବିଜେଡିର ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଧାରରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କୁ ଭେଟି ଯେଉଁ ଦାବୀ କରିଛନ୍ତି ତାହା ଭିତିହୀନ । ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିରେ ମିଛର ଗୁମର ଖୋଲିଥିଲା । ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଥିଲେ ଯେ ତାଙ୍କ କାରଣରୁ ହିଁ ଗରିବ ଲୋକମାନେ ପକ୍କା ଘର ପାଇବାରୁ ବଂଚିତ ହୋଇଛନ୍ତି । କେନ୍ଦ୍ର ସରକାର ଆବାସ ପ୍ଲସ ଅଧୀନରେ ଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ମାର୍ଚ୍ଚ ୭, ୨୦୧୯ ପର୍ଯ୍ୟନ୍ତ ସମୟ ଦେଇଥିଲେ ଏବଂ ରାଜ୍ୟ ସରକାର ସେ ସମୟ ମଧ୍ୟରେ କେବଳ ୩୫ ହଜାର ହିତାଧିକାରୀ ଚିହ୍ନଟ କରିପାରିଥିଲେ ଏବଂ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଥିଲେ । ଯାହାର ମୁଖ୍ୟ କାରଣ ହେଉଛି ରାଜ୍ୟ ସରକାର ନିଜର ସରକାରୀ କଳକୁ ନିର୍ବାଚନ ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ଲେଖିଥିବା ଉକ୍ତ ପତ୍ରରେ ଏହା ଦର୍ଶାଇଥିଲେ । ଏଥିରୁ ଦିବାଲୋକରେ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ କାରଣରୁ ହିଁ ଗରିବ ଲୋକମାନେ ପିଏମ ଗ୍ରାମୀଣ ଆବାସ ଯୋଜନାରେ ଘର ପାଇବାକୁ ବଂଚିତ ହୋଇଛନ୍ତି । ପୁନର୍ବାର ଆଜି ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଏହି ଦାବୀ ଜଣାଇ ବିଜେଡି କ’ଣ ପ୍ରମାଣିତ କରିବାକୁ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପତ୍ର ଆଧାରରେ ବିଜେଡିର ଫନୀ ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସ୍ପେଶାଲରେ ୧.୮୪ ଲକ୍ଷ ଘର ଦେବା ସହ ଜନଜାତି ଏବଂ କେବିକେ ଅଂଚଳରେ ଗରବ ଲୋକଙ୍କୁ ଯେଉଁ ଘର ଦେବାର ଦାବୀ କରିଛନ୍ତି, ତାହା ଅମୂଳକ । ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କୁ ଭୂଆଁ ବୁଲାଇବା ସହ ନିଜର ଅପାରଗତା ଏବଂ ଆବଂଟନରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ବିଜେଡି ଏହି ଅପଚେଷ୍ଟା କରୁଛି ବୋଲି ବିରୋଧୀ ଦଳର ମୁଖ୍ୟ ସଚେତନ କହିଛନ୍ତି । ଫନୀ ବାତ୍ୟା ହେବାର ଅଢ଼େଇ ବର୍ଷ ହେଲାଣି । ଏତେ ବର୍ଷ ଭିତରେ ଫନୀ ପ୍ରଭାବିତଙ୍କ କଥା ବିଜେଡିର ମନେପଡ଼ିଲା? ପଂଚାୟତ ନିର୍ବାଚନ ଆସିବା ସମୟରେ ଘରକୁ ପଶିବା ମାତ୍ରେ ମୁଣ୍ଡ ବାଜିଲା ପରି ବିଜେଡିର ଆବାସ ଯୋଜନାର କଥା ମନେ ପଡ଼ିବା ଓ ଗରିବଙ୍କ ପାଇଁ ଆନ୍ତରିକତା ହଠାତ୍ ଜାଗ୍ରତ ହେବା ବିଡ଼ମ୍ବନାର ବିଷୟ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀରେ ପ୍ରତିବାଦ କରିବାରୁ ବିଜେପିର ଦୁଇ ଜଣ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । 

ଏହି ଘଟଣାରେ ମାହାଙ୍ଗାରୁ ପ୍ରତିନିଧିତ୍ୱ କରୁଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିପ୍ତ ଥିବା କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉପରେ ଉତର ରଖିବେ କି? ସେ କହିଛନ୍ତି ଯେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆସୁଥିବା ଅର୍ଥର ବାଟମାରଣା ହେଉଥିବା ବେଳେ ଦଳୀୟ ଆଧାରରେ ଘର ଆବଂଟନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ସରକାରରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା ତଥା ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ହେଲେ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା । ପୂର୍ବରୁ କେନ୍ଦ୍ରୀୟ ରିପୋର୍ଟରୁ ଜଣାପଡ଼ିଛି ଯେ ଫୋନୀ ପରବର୍ତୀ ସମୟରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଂଟିତ ଘର ମାମଲାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପଦାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଂଟନରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ କେବିକେ ସମେତ ଆକାଂକ୍ଷୀ ଜିଲ୍ଲାକୁ ନଗଣ୍ୟ କରାଯାଇଛି । ଜନଜାତି ଓ କେବିକେ ଅଂଚଳରେ ଗରିବଙ୍କୁ ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ଟଙ୍କା ଦିଆଯିବା ସତ୍ୱେ ସେ ଟଙ୍କା ଯାଉଛି କୁଆଡେ? ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର ଆବଂଟନ ଶୂନ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ଜଣାପଡ଼ିଥିବା ବେଳେ ଅନେକ ଘର ଅସମ୍ପୂର୍ଣ୍ଣ ରହିଛି ଯଥା କେତେ ସ୍ଥାନରେ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ପଡ଼ିନାହିଁ, ଶୌଚାଳୟ ନଥିବା ମଧ୍ୟ ଉକ୍ତ ତଦନ୍ତରୁ ଜଣାପଡ଼ିଥିଲା । ପୂର୍ବ କେନ୍ଦ୍ରୀୟ ରିପୋର୍ଟରୁ ଓଡ଼ିଶା ସରକାରଙ୍କ ଏଥିରୁ ଏହି ଜିଲ୍ଲା ପ୍ରତି ସମ୍ବେଦନଶୀଳତା କ’ଣ ଅଛି ସ୍ପଷ୍ଟ ବାରିହୋଇ ଯାଉଛି ବୋଲି ଶ୍ରୀ ମାଝୀ ଦାବୀ କରିଛନ୍ତି । 

Spread the love