କଂଗ୍ରେସରେ ମିଶିବେ କି ହରଭଜନ ସିଂହ ? ସିଦ୍ଧୁଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର

ଚଣ୍ଡିଗଡ ୧୫।୧୨: ହରଭଜନ ସିଂହଙ୍କୁ ନେଇ ହଲଚଲ ପଞ୍ଜାବ ରାଜନୀତି। କିଛି ଦିନ ତଳେ ବିଜେପିରେ ହରଭଜନ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବୁଧବାର ସାମ୍ନାକୁ ଆସିଥିବା ଏକ ଫଟୋ ରାଜନୀତିକୁ ଆହୁରି ସରଗରମ କରିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ କଣ ହରଭଜନ ସିଂହ କଂଗ୍ରେସରେ ଯୋଗ ଦେବେ ? ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଭଜିଙ୍କ ସହିତ ସାକ୍ଷାତ ବେଳର ଫଟୋ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଏଥିସହ ସିଦ୍ଧୁ ଯେଉଁ କ୍ୟାପସନ ଲେଖିଛନ୍ତି, ସେଥିରେ ଚର୍ଚ୍ଚାକୁ ଆହୁରି ବଳ ମିଳିଛି। କଂଗ୍ରେସ ନେତା ଏହି ଫଟୋକୁ ସମ୍ଭାବନାରେ ଭରା ଦର୍ଶାଇଛନ୍ତି।

କୁହାଯାଉଛି, ଦେଶ ପାଇଁ ଖେଳି ସାରିଥିବା ଦୁଇ ଖେଳାଳିଙ୍କ ଭେଟ ପରେ ଭଜିଙ୍କ ନୂତନ ଇନିଂସ ଆରମ୍ଭ ହୋଇପାରେ। ନବଜୋତ ସିଂହ ସିଦ୍ଧୁ ମଧ୍ୟ ରାଜନୀତିକୁ ଆସିବା ପୂର୍ବରୁ ପ୍ରଥମେ କ୍ରିକେଟ୍‌ର ଏବଂ ଭାଷ୍ୟକାର ଥିଲେ। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ସିଦ୍ଧୁ ହରଭଜନଙ୍କ ସହିତ ଫଟୋ ସେୟାର କରି ଲେଖିଛନ୍ତି, ସମ୍ଭାବନାରେଭରା ଫଟୋ। ଏହାକୁ ନେଇ ହରଭଜନଙ୍କ ରାଜନୀତିରେ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ସେ ବିଜେପିରେ ସାମିଲ ହେବା ନେଇ ଜାରି ଚର୍ଚ୍ଚାକୁ ଖାରଜ କରିଥିଲେ।

ତେବେ ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ଜଳନ୍ଧରର କୌଣସି  ବିଧାନସଭା ଆସନରୁ ହରଭଜନ ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାକୁ ଚାହୁଁଛି। ହରଭଜନ ସିଂହଙ୍କ ସହ ଦଳର ଆଲୋଚନା ଜାରି ରହିଛି। କିନ୍ତୁ କିଛି ଚୂଡାନ୍ତ ହୋଇନଥିବା କୁହାଯାଉଛି। କିଛି ଦିନ ପୂର୍ବେ ଚର୍ଚ୍ଚା ଜୋର ଧରିଥିଲା ଯେ, ହରଭଜନ ସିଂହ ଓ ଯୁବରାଜ ସିଂହଙ୍କୁ ବିଜେପି ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦଳରେ ସାମିଲ୍ କରାଇପାରେ। କିନ୍ତୁ ହରଭଜନ ଏହା ସବୁ ମିଥ୍ୟା ନ୍ୟୁଜ୍ କରି ଚର୍ଚ୍ଚା ଉପରେ ବିରାମ ଲଗାଇଥିଲେ।

Spread the love