ଓଲଟିଲା ଟୁରିଷ୍ଟ ବସ୍ : ୩୦ ଆହତ

ଜି. ଉଦୟଗିରି ୧୬/୧୨ : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସ୍ଥିତ କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଟୁରିଷ୍ଟ ବସ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭାରସାମ୍ୟ ହରାଇ ବସ୍‌ ଓଲଟିପଡିଥିବା ବେଳେ ଭିତରେ ଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ଏକ ପର୍ଯ୍ୟଟକ ବସ୍ ପ୍ରାୟ ୫୦ ରୁ ୬୦ ପର୍ଯ୍ୟଟକଙ୍କୁ ନେଇ କନ୍ଧମାଳ ଦାରିଙ୍ଗବାଡିରୁ ଫେରୁଥିବା ବେଳ ସନ୍ଧ୍ୟା ସମୟରେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ଘାଟି ସ୍ଥିତ ଅନ୍ଧାରକୋଟ ପୂର୍ବ ବୁଲାଣୀ ନିକଟରେ ବ୍ରେକ ଫେଲ ହୋଇଯିବାରୁ ନିକଟରେ ଥିବା ଡିଭାଇଡରରେ ପିଟିହୋଇଥିଲା । ଫଲରେ ବସ୍‌ଟି ଓଲଟିପଡିଥିଲା । ବସରେ ଥିବା ଯାତ୍ରୀ ଭିତରେ ରହିଯାଇଥିଲେ। ସେତିକିବେଳେ ଟିକାବାଲିରୁ ଭଞ୍ଜନଗର ଯାଉଥିବା ଏକ କାରର ଯାତ୍ରୀ ବସ୍‌ର କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସହ ଆମ୍ବୁଲାନ୍ସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦୁଇଟି ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ଦମକଳ ଗାଡି ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ।ତଥାପି ଦୁର୍ଘଟଣା ସ୍ଥଳରେ ପ୍ରାୟ ଦୁଇରୁ ତିନି ଯାତ୍ରୀ ବସ ଭିତରେ ଚାପି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି। ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love