ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ ୧୬/୧୨ : ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି ହୋଇଛି। ଗୋପାଳବଲ୍ଲଭ ପରେ ପହିଲି ଭୋଗ ସଂପନ୍ନ ହୋଇଛି। ସେହିପରି ଶ୍ରୀମନ୍ଦିର ଦର୍ଶନ ଏସଓପିରେ ସାମାନ୍ୟ କୋହଳ କରାଯାଇଥିବା ୭ ଟା ବଦଳରେ ଆଜିଠାରୁ ଭକ୍ତମାନେ ଭୋର ୫.୩୦ ରୁ ରାତ୍ର ସାଢେ ନଅଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବାର ସୁଯୋଗ ପାଇଥିବାରୁ ଭକ୍ତ ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।

ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରର ପାଳିତ ହେଉଛି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୨. ୪୫ ରେ ଦ୍ବାର ଫିଟା, ୩.୩୦ ରେ ମଙ୍ଗଳଆଳତୀ, ୩.୩୫ ରେ ମଇଲମ, ୪.୨୦ ରୁ ୪. ୪୦ ଅବକାଶ ପରେ ୫.୪୫ ରେ ବେଶ ହେବା ପରେ ୬.୫୫ ରେ ପହିଲି ଭୋଗ ନୀତି ଶେଷ ହୋଇଥିଲା। ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି। କଥିତ ଅଛି, ପୌଷ ମାସରେ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି। ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି।

ବଡ଼ି ଭୋରରୁ ମହାପ୍ରଭୁଙ୍କୁ ଲାଗି କରାଯାଏ। ପହିଲି ଭୋଗରେ ମୁଖ୍ୟତଃ ବଡ଼ଝିଲି, ଅମାଲୁ, ଗଇଣ୍ଠା, ମଣ୍ତା, ଆରିସା, କାକରା ଓ ବଡ଼ି ଆଦି ଭୋଗ କରାଯାଇଥାଏ। ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଆଜିଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ଏସଓପି ଜାରୀ କରାଯାଇଛି। ଭକ୍ତମାନେ ସକାଳ ୭ ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ‌ କରୁଥିବା ବେଳେ ଆଜି ଠାରୁ ଭୋର ୫.୩୦ ରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ଏଣିକି ଦର୍ଶନର ସୁଯୋଗ ପାଇବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ପ୍ରତି ଜାରି ହୋଇଥିବା କୋହଳ‌ ନିୟମକୁ ସେବାୟତ ଓ ଭକ୍ତ ସ୍ବାଗତ କରିଛନ୍ତି। ତେବେ ଆଜି ମାଣବସା  ଗୁରୁବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ମାନେ ନିଜକୁ ଧନ୍ୟ ମଣିଛନ୍ତି।

ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ସେପଟେ ଶ୍ରୀମନ୍ଦିରରେ ବନକଲାଗି କିମ୍ବା ପଇତାଲାଗି ସମୟରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତ ନପାଇଲେ ମଧ୍ୟ ମନ୍ଦିର ଭିତରେ ପାର୍ଶ୍ବ ଦେବା ଦେବୀଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ। ଏହାସହ ଆସନ୍ତା ଡ଼ିସେମ୍ବର ୩୧ ଓ ଜାନୁଆରୀ ୧ ନୂଆବର୍ଷ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

Spread the love