ଥଣ୍ଡାରେ ଥରୁଛି ଉତ୍ତର ଭାରତରୁ ମଧ୍ୟଭାରତ

ଭୁବନେଶ୍ଵର ୧୮।୧୨: ୨୧ ତାରିଖ ଯାଏଁ ଶୀତ ଲହରୀ ଆଲର୍ଟ। ହାଡଭଙ୍ଗା ଶୀତରେ ଜମାଟ ବାନ୍ଧିଛି ଦେଶର ୫ ରାଜ୍ୟ । ପଞ୍ଚାବ, ହରିୟାଣା ଏବଂ ରାଜସ୍ଥାନ ପାଇଁ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ । ରାଜସ୍ଥାନ ସିକରର ଫତେପୁରରେ ପାରଦ ଛୁଇଁଛି ମାଇନସ୍ ୩.୩ ଡିଗ୍ରୀ । ଯେଉଁଠି ଗ୍ରୀଷ୍ଣରେ ତାପମାତ୍ରା ୫୦ଡିଗ୍ରୀ ଟପିଯାଏ, ସେଠାରେ ଏବେ କାକର ଟୋପା ବରଫ ପାଲଟି ଯାଉଛି । ଚୁରୁ, ମାଉଣ୍ଟଆବୁ, ଜୈସଲମର୍ ଭଳି ରାଜସ୍ଥାନର ୧୨ ଜିଲ୍ଲାରେ ତାପମାତ୍ରା ମାଇନସ୍ ୧ ଡିଗ୍ରୀ ତଳକୁ ଖସି ଯାଇଛି।

ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁକାଶ୍ମୀରରେ ପ୍ରବଳ ବରଫପାତ ହେଉଛି । ବରଫର ମୋଟା ଧଳା ଚାଦରରେ ଘୋଡେଇ ହୋଇ ରହିଛି ପାହାଡ ଏବଂ ଗଛ । ସାରା କାଶ୍ମୀର ଘାଟିରେ ପାରଦ ଶୂନ ତଳେ ରହିଛି । କୁପୱାରାରେ ତାପମାତ୍ରା ମାଇନସ୍ ୪.୪ ଡିଗ୍ରୀକୁ ଖସି ଆସିଥିବା ବେଳେ ଦକ୍ଷିଣକାଶ୍ମୀରରେ ପାରଦ ମାଇନସ୍ ୩.୨ଡିଗ୍ରୀ ଛୁଇଁଛି । ଘାଟିରେ ଅନେକ ଜଳାଶୟ ବରଫ ପାଲଟି ଯାଇଛି । ହିମାଚଳପ୍ରଦେଶର ଶିଶୁ ହ୍ରଦ ଉପରେ ବରଫର ଆସ୍ତରଣ ବସି ଯାଇଛି ।

ଘାଟିରେ ହିମପାତ ଯୋଗୁ ଉତ୍ତରଭାରରୁ ମଧ୍ୟଭାରତ ପର୍ଯ୍ୟନ୍ତ ଥରୁଛି । ମଧ୍ୟପ୍ରଦେଶରେ ତାପମାନ ସ୍ବାଭାବିକଠାରୁ ବେଶ ତଳକୁ ଖସି ଆସିଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୬ଡିଗ୍ରୀ ଛୁଇଁଛି । ରାତିର ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ତଳକୁ ଖସିପାରେ। ଆସନ୍ତା ୩ଦିନ ଦିଲ୍ଲୀ ପାଇଁ ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ୟେଲୋ ଆଲର୍ଟ । ପ୍ରବଳ ଶୀତ ସହ ଘନ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ଦିଲ୍ଲୀରେ  ଏୟାର କ୍ବାଲିଟି ଇଣ୍ଡେକ୍ସ ୪ଶହକୁ ଖସି ଆସିଛି ଯାହା ପ୍ରଦୂଷଣର ଗମ୍ଭୀରତାକୁ ସୂଚାଉଛି ।

ଓଡିଶାର ଶୀତଲହରୀର ପ୍ରଭାବ ପଡିଛି । ୧୨ ସ୍ଥାନରେ ୧୨ ଡିଗ୍ରୀ ତଳେ ରହିଛି ପାରଦ ।  ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଫୁଲବାଣୀ । ଫୁଲବାଣୀରେ ରାତ୍ରି ତାପମାତ୍ରା ସର୍ବନିମ୍ନ ୭.୦ ଡିଗ୍ରୀ ରହିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଥଣ୍ଡାର ରାଜ୍ । ସଂଧ୍ୟା ହେଲେ ମାଡିଆସୁଛି ଶୀତ ଲହରୀ । କୋରାପୁଟର ଲମତାପୁଟରେ ହାଡଭଙ୍ଗା ଶୀତ । ପାରଦ ଖସିଛି  ୮   ଡିଗ୍ରୀ ତଳେ ରହୁଛି  ।  ଦିନ ୧୦ଟାଯାଏଁ ଘନ କୁହୁଡି ଦେଖିବାକୁ ମିଳୁଛି । ସନ୍ଧ୍ୟା ୮ ଟା ପରେ ଶୂନଶାନ ହୋଇଯାଉଛି ଲମତାପୁଟ।   ଗତ ୨୪ ଘଣ୍ଟାରେ  ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ୨.୭ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । ଦାରିଙ୍ଗବାଡି, କୋରାପୁଟ, ସୁନ୍ଦରଗଡ, ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ବୋହୁଥିବାରୁ ଆଗାମୀ ୪ ଦିନ ଯାଏଁ ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ଯାଏଁ  ଖସିବା ସମ୍ଭାବନା ରହିଛି । ପାଣିପାଗର ବିଭାଗର ଆକଳନ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ପ୍ରବଳ ଶୀତ ଲହରୀ ।

Spread the love