ଡିକି ଭାଙ୍ଗି ଲୁଟିନେଲେ ୩ ଲକ୍ଷ ୧୦ ହଜାର ଟଙ୍କା

ଆନନ୍ଦପୁର ୧୮।୧୨: କେନ୍ଦୁଝର ଘଷିପୁରା ଥାନା ସାମ୍ନାରେ ଥିବା ଆନନ୍ଦପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୩ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଭଣ୍ଡାରିଡିହା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ରାଉତ ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରେ ଥିବା  ନିଜ ଜମାଖାତାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ଥିଲେ । ଏହାପରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ କିଛି କାମରେ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ବାଇକ୍ ଡିକି ଦେଖିବାରୁ ଟଙ୍କା ନଥିବା ଜାଣିଥିଲେ ।

ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ରାସ୍ତାକଡରେ ଥିବା ବିଭିନ୍ନ ଦୋକାନର ସିସିଟିଭି ଯାଞ୍ଚ କରୁ କରୁ ଲୁଟେରାଙ୍କ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି । ବ୍ୟାଙ୍କ ଅଫ ଇଣ୍ଡିଆ ସିସିଟିଭି ସମେତ ସେଠାରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ମଧ୍ୟରେ ଥିବା କେତେକ ଦୋକାନର ସିସି କ୍ୟାମେରା ଯାଞ୍ଚ ପରେ ଏହି ଘଟଣାରେ ତିନି ଜଣ ଯୁବକ ସାମିଲ ଥିବା ସନ୍ଦେହ ହୋଇଛି । ଜଣେ ଯୁବକ ବ୍ୟାଙ୍କ ନିକଟରୁ ବିପିନଙ୍କୁ ଫଲୋ କରୁଥିବାବେଳେ ସେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନ୍ୟ ଜଣେ ଯୁବକଙ୍କ ସହ ଯାଉଛି । ସେଠାରୁ ଫେରିବା ସମୟରେ ପୁଣି ଅନ୍ୟ ଏକ ବାଇକ୍ ରେ ଥିବା ଭିନ୍ନ ଜଣେ ଯୁବକ ସହ ଫେରୁଥିବା ସିସିଟିଭିରେ କଏଦ ହୋଇଛି । ଏହି ତଥ୍ୟ ଆଧାରରେ ଘଷିପୁରା ପୋଲିସ ତଦନ୍ତ ଜାରି ରଖିଛି ।

Spread the love