ସ୍ୱର୍ଣ୍ଣ ମନ୍ଦିରରେ ହତ୍ୟା: ଗୁରୁଃଗ୍ରନ୍ଥ ସାହିବର ଅପମାନ କରିବାକୁ ଚେଷ୍ଟା କଲେ ଯୁବକ, ପିଟି ପିଟି ହତ୍ୟା କରିଦେଲେ ଉପସ୍ଥିତ ଲୋକେ

ଅମୃତସର ୧୮/୧୨ : ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଶନିବାର ଦିନ ଗୁରୁ ଗ୍ରନ୍ଥ ସାହିବର ଅପମାନ କରିବାକୁ ଚେଷ୍ଟା କରୁଥିବା ଯୁବକକୁ ହତ୍ୟା କରାଯାଇଛି। ଯୁବକ ମନ୍ଦିରରେ ସଚଖଣ୍ଡ ସାହିବ ଭିତରେ ଥିବା ଜଙ୍ଗଲା ବା ଗ୍ରିଲ୍ ପାର କରି ଶ୍ରୀ ଗୁରୁ ଗ୍ରନ୍ଥ ସାହିବର ଅପମାନ କରିବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ ସେଠାରେ ରଖାଯାଇଥିବା ଖଣ୍ଡା ମଧ୍ୟ ଉଠାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ସେବାୟତ ଯୁବକଙ୍କୁ କାବୁ କରିଥିଲେ।

ସେବାୟତ ଯୁବକକୁ ତୁରନ୍ତ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (SGPC) କୁ ହସ୍ତାନ୍ତର କରିଥିଲେ। SGPC ପଦାଧିକାରୀ କହିଛନ୍ତି ଯେ ମନ୍ଦିରରେ ଉପସ୍ଥିତ ଥିବା ଲୋକେ ଯୁବକକୁ ପିଟି ପିଟି ହତ୍ୟା କରିଛନ୍ତି। ଯୁବକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି।

ସ୍ୱର୍ଣ୍ଣ ମନ୍ଦିରରେ ସଚଖଣ୍ଡ ସାହିବ ଭିତରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ରହରସ (ସନ୍ଧ୍ୟା ସମୟରେ କରାଯାଉଥିବା ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ପାଠ) ଚାଲିଥିଲା। ପ୍ରତିଦିନ ଭଳି ଲୋକେ ଧାଡି ବାନ୍ଧି ଏଠାକୁ ପ୍ରାର୍ଥନା କରିବାକୁ ଆସୁଥିଲେ। ସଚଖଣ୍ଡ ସାହିବ ଆଗରେ ସୁରକ୍ଷା ପାଇଁ ଜଙ୍ଗଲା (ଗ୍ରିଲ୍) ତିଆରି କରାଯାଇଛି। ପାଠକ ତା ଭିତରେ ବସି ପାଠ କରନ୍ତି। ଧାଡିରେ ଛିଡା ହୋଇଥିବା ଯୁବକ ନିଜ ପାଳି ଆସିବାରୁ ସଚଖଣ୍ଡ ସାହିବ ଭିତରେ ପହଞ୍ଚିଲେ ଓ ହଠାତ ସୁରକ୍ଷା ପାଇଁ ଲଗାଯାଇଥିବା ଗ୍ରିଲ ପାର କରି ଗୁରୁ ଗ୍ରନ୍ଥ ସାହିବ ଆଡକୁ ବଢିଯାଇଥିଲା।

ଯୁବକଙ୍କ ଏହି କାରନାମା ଦେଖି ସେଠାରେ ହଇଚଇ ସୃଷ୍ଟି ହୋଇଥିଲା ଓ ସେବାୟତ ତୁରନ୍ତ ତାକୁ ଧରି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଛନ୍ତି ଯେ ଯୁବକ ଗୁରୁ ଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା ଖଣ୍ଡା ଉଠାଇବାକୁ ଚେଷ୍ଟା କରିଥିଲା। ଆଉ କିଛି ଲୋକେ କହିଛନ୍ତି ଯେ ଯୁବକ ଫୁଲ ଉଠାଇବାକୁ ଚେଷ୍ଟା କରୁଥିଲା। ସେବାୟତ ଯୁବକକୁ ଧରି ସ୍ୱର୍ଣ୍ଣ ମନ୍ଦିରରେ ନିୟୋଜିତ ଏସଜିପିସି ଟାସ୍କ ଫୋର୍ସକୁ ହସ୍ତାନ୍ତର କରିଥିଲେ। ସେମାନେ ଯୁବକକୁ ବାହାରକୁ ନେଇଯାଇଥିଲେ।

ଡିସେମ୍ବର ୧୫ ତାରିଖରେ ସ୍ୱର୍ଣ୍ଣ ମନ୍ଦିରରେ ଜଣେ ଯୁବକ ସାହିବର ପବିତ୍ର ସରୋବରରେ ଗୁଟଖା ପକାଇ ଦେଇଥିଲା. ମନ୍ଦିର ପରିକ୍ରମାରେ ଉପସ୍ଥିତ ଶିରୋମଣି ଗୁରୁଦ୍ୱାରାର ପ୍ରବନ୍ଧକ କମିଟିର ସେୟାତ ଯୁବକକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଯୁବକ ନିଜ ନାଁ ରଣବୀର ସିଂହ ବୋଲି କହିଛନ୍ତି। ଏସଜିପିସି ଅଧ୍ୟକ୍ଷ ହରଜିନ୍ଦର ସିଂହ ଧାମୀ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଯାଞ୍ଚ କରିବାକୁ ପୋଲିସକୁ ଦାବି କରିଥିଲେ। ଏସଜିପିସି ଅଧ୍ୟକ୍ଷ କହିଥିଲେ ଯେ ଏହି ଘଟଣା ହଠାତ ହୋଇନାହିଁ ବରଂ ଏହା ଏକ ଷଡଯନ୍ତ୍ର। ଏହାର ଉଦ୍ଦେଶ୍ୟ ଶିଖମାନଙ୍କ ଭାବନାକୁ ପକ୍ଷାଘାତ କରି ମାହୋଲ ଖରାପ କରିବା। ଗୁରୁ ଗ୍ରନ୍ଥ ସାହିବର ଅପମାନ ନୀଚ ମାନସିକତା ଦର୍ଶାଉଛି ବୋଲି ସେ କହିଛନ୍ତି।

Spread the love