୩ ଦିନ ଯାଏଁ ହାଡଥରା ଶୀତ

ଭୁବନେଶ୍ୱର,୨୦/୧୨ ଆସନ୍ତା ତିନି ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ କମିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ କମିଯିବ । ୨୧ ତାରିଖ ଯାଏ ଏହା ଜାରି ରହିବ । ରାଜ୍ୟର ବହୁ ସ୍ଥାନରେ ରାତିରୁ ତାପମାତ୍ରା ଖସିଯିବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଉତ୍ତରା ପବନ ରାଜ୍ୟକୁ ସିଧା ଆସିପାରୁନି । ଏଥିପାଇଁ ଶନିବାର ତାପମାତ୍ରା ସାମାନ୍ୟ ବଢ଼ିଛି । ତେବେ ରବିବାର ରାତିରୁ ଏହା କମିବ ଓ ଆସନ୍ତା ୩ଦିନ ଯାଏ ପ୍ରବଳ ଶୀତ ହେବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସୋମବାରଠାରୁ ଦିନ ତାପମାତ୍ରା ୨ଡିଗ୍ରୀ କମିବ । ସେହିଭଳି ରାତି ତାପମାତ୍ରା ୩ଡିଗ୍ରୀ କମିବ । ୨୧ ଯାଏ ଏହି ଅଞ୍ଚଳରେ ଶୀତପ୍ରବାହ ଜାରି ରହିବ । ୨୨ ତାରିଖରୁ ଏଠାରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୨୫ ତାରିଖ ସୁଦ୍ଧା ଏଠାରେ ତାପମାତ୍ରା ୬ଡିଗ୍ରୀ ବଢ଼ିଯିିବ ।

କନ୍ଧମାଳ, ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି ଓ ସୋନପୁର ଭଳି ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ରବିବାର ରାତିରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ୨୧ ତାରିଖ ଯାଏ ଶୀତ ଜାରି ରହିବ । ସେହିଭଳି ୨୧ ତାରିଖ ରାତିରୁ ତାପମାତ୍ରା କ୍ରମଶଃ ବଢିବ । ୨୧ରୁ ୨୫ ଭିତରେ ଦିନ ତାପମାତ୍ରା ୭ ଡିଗ୍ରୀ ବଢ଼ିଯିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ରାଜ୍ୟର ଉତ୍ତର ଉପକୂଳରେ ରବିବାର ରାତିରୁ ଦେଢ ଡିଗ୍ରୀ ତାପମାତ୍ରା କମିବ । ୨୧ ତାରିଖ ଯାଏ ଶୀତପ୍ରବାହ ଜାରି ରହିବ । ୨୨ତାରିଖଠାରୁ ଏଠାରେ ରାତି ତାପମାତ୍ରା ଧୀରେ ଧୀରେ ୫ଡିଗ୍ରୀ ଯାଏ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ଥିଲା । ଏଠାରେ ପାରଦ ୮.୫ଡିଗ୍ରୀ ରହିଥିଲା । ବଲାଙ୍ଗୀରରେ ୯ଡିଗ୍ରୀ, କୋରାପୁଟ ଓ ଫୁଲବାଣୀରେ ୯.୫ଡିଗ୍ରୀ ଓ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Spread the love