ଆଉ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିବନି ! ପ୍ରଥମ କୋଭିଡ୍ ବଟିକାକୁ ମଞ୍ଜୁରୀ

ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଦ୍ୱାରା ପ୍ରସ୍ତୁତ ପ୍ରଥମ କୋଭିଡ ବଟିକା ‘ପାକ୍ସଲୋଭିଡ’କୁ  ଦେଶର ଔଷଧ ନିୟାମକ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ (ଏଫ୍‌ଡିଏ) ମଞ୍ଜୁରି ଦେଇଛି । କରୋନାରେ ସଂକ୍ରମିତ ହେବାପରେ ଅସୁସ୍ଥ ହୋଇପଡୁଥିବା ରୋଗୀମାନେ ଏହାକୁ ସେବନ କରି ସୁସ୍ଥ ହୋଇପାରିବେ । ଫଳରେ ସେମାନଙ୍କୁ ଆଉ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ ନାହିଁ ।

ସୂଚନାଯୋଗ୍ୟ, ପାକ୍ସଲୋଭିଡରେ ନୂଆ ଆଣ୍ଟିଭାଇରାଲ ଔଷଧ ‘ନିର୍ମାଟ୍ରେଲଭିର୍‌’ ଏବଂ ଏକ ପୁରୁଣା ଔଷଧ ‘ରିଟୋନାଭିର୍‌’ ରହିଛି । ଗତ ସପ୍ତାହରେ ଫାଇଜର୍‌ ପକ୍ଷରୁ ଏହି ବଟିକାର ସଦ୍ୟ ଫଳାଫଳ ରିପୋର୍ଟ ପ୍ରକାଶ କରିଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ଏବଂ କରୋନା ମୃତ୍ୟୁକୁ ୮୯% କମାଇବା ଦିଗରେ ଏହି ବଟିକା ସହାୟକ ହୋଇପାରୁଛି। କରୋନା ଲକ୍ଷଣ ଦେଖାଦେବାର କିଛି ଦିନ ମଧ୍ୟରେ ଏହାକୁ ସେବନ କରାଯାଇ ପାରିବ । ପ୍ରଥମ ଲକ୍ଷଣ ଦେଖାଦେବା ପରେ ଯଦି ଏହାକୁ ରୋଗୀକୁ ଦିଆଯାଏ, ତେବେ ସଂକ୍ରମଣ ଉପରେ ପ୍ରଭାବ ୮୮% ରହିବ ବୋଲି କମ୍ପାନି ଦାବି କରିଛି ।ଏ ବାବଦରେ ଫାଇଜର୍‌ ଅଧ୍ୟକ୍ଷ ତଥା ସିଇଓ ଆଲ୍‌ବର୍ଟ ବୁର୍ଲା କହିଛନ୍ତି, ମହାମାରୀକୁ ମୂଳୋତ୍ପାଟନ କରିବାରେ ବିଜ୍ଞାନ କିଭଳି ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ପାକ୍ସଲୋଭିଡ୍‌ ବଟିକା ।

ଦୁଇବର୍ଷ ଧରି କରୋନା ମହାମାରୀ ମାନବଜାତିକୁ ଅସ୍ତବ୍ୟସ୍ତ କରିପକାଇଛି । ଏହି ସଦ୍ୟ ଥେରାପି ଦ୍ୱାରା ମହାମାରୀର ପ୍ରଭାବକୁ ରୋକାଯାଇ ପାରିବ । କରୋନା ମୃତ୍ୟୁକୁ ରୋକାଯାଇ ପାରିଲେ ମହାମାରୀ ଆପେ ନିଷ୍ପ୍ରଭ ହୋଇଯିବ । ଏବେ ସରକାରଙ୍କ ଅନୁମତି ମିଳିବା ପରେ ରୋଗୀଙ୍କ ହାତପାହାନ୍ତାରେ ଏହି ଔଷଧକୁ ପହଞ୍ଚାଇବା ପାଇଁ ଫାଇଜର୍‌ ପ୍ରଚେଷ୍ଟା କରିବ ବୋଲି ବୁର୍ଲା କହିଛନ୍ତି ।ଅନ୍ୟପକ୍ଷରେ ଆମେରିକାର ଆଉଏକ ଫାର୍ମା କମ୍ପାନି ମର୍କ ମଧ୍ୟ ଏକ କୋଭିଡ ବଟିକା ବିକଶିତ କରିଛି । ଏଫ୍‌ଡିଏ ଅନୁମୋଦନ ପାଇବା ଲାଗି ଏହା ଆବେଦନ କରିଛି । ଉଭୟ ଫାଇଜର ଓ ମର୍କ ଏକସମୟରେ ଆବେଦନ କରିଥିଲା ବେଳେ ପ୍ରଥମେ ଫାଇଜର୍‌କୁ ସବୁଜ ସଂକେତ ମିଳିଛି । ଏଫ୍‌ଡିଏର ଉପଦେଷ୍ଟାମାନେ ୧୩-୧୦ ଭୋଟ୍‌ରେ ଫାଇଜର ବଟିକା ପାକ୍ସଲୋଭିଡ୍‌କୁ ଅନୁମୋଦନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କରୋନାର ଚିକିତ୍ସା ପାଇଁ ଏକମାତ୍ର ଔଷଧ ଭାବେ ରେମଡେସିଭିରକୁ ଏଫ୍‌ଡିଏ ଅନୁମୋଦନ ଦେଇଥିଲା । କିନ୍ତୁ ଏହାକୁ ଏକ ବଟିକା ଭାବେ ଲୋକମାନେ ଘରେ ସେବନ କରିପାରିବେ ନାହିଁ । ଡାକ୍ତରଙ୍କ ପରାମର୍ଶକ୍ରମେ କେବଳ ହସ୍ପିଟାଲରେ ହିଁ ଏହାକୁ ଦିଆଯାଉଛି ।

Spread the love