ଆମ ପାଇଁ ଗୋରୁ ମା ସମାନ…ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ଗୋଧନ ବିଷୟରେ କହିଲେ କିଛି ଲୋକଙ୍କ ପାଇଁ ଅପରାଧ ଲାଗୁଛି

ବାରଣାସୀ ୨୩।୧୨ : ଗାଈ ଆମ ପାଇଁ ମା ସମାନ। ହେଲେ ଗାଈ ବିଷୟରେ ଆଲୋଚନା କଲେ କିଛି ଲୋକଙ୍କୁ ଅପରାଧ ପରି ମନେ ହେଉଛି। ବାରଣାସୀରେ ଉତ୍ତର ପ୍ରଦେଶ ପାଇଁ ୨୧୦୦ କୋଟି ଟଙ୍କାର ୨୨ ପ୍ରକଳ୍ପର ଶିଳାନ୍ୟାସ୍ ଓ ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଦୁଗ୍ଧ ଉତ୍ପାଦନକାରୀ ଅମୁଲ କମ୍ପାନୀର ‘ବନାସ ଡାଏରୀ ସଙ୍କୁଲ’ ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଏଥିସହ ରାଜ୍ୟକୁ ପ୍ରାୟ ୨୧୦୦ କୋଟି ଟଙ୍କାର ୨୨ ପ୍ରକଳ୍ପର ଭେଟି ଦେଇଛନ୍ତି। ଏହି ସମୟରେ ମୋଦୀ ଦେଶ ପାଇଁ ପଶୁ ଧନର ଉପଯୋଗିତା ଉପରେ ଆଲୋଚନା କରି ଗାଈକୁ ମା ସମାନ କହିଛନ୍ତି। ସେ କହିଛନ୍ତି ଗାଈ ଏବଂ ଗୋସେବାର କଥା କହିବା ଦେଶରେ କିଛି ଲୋକଙ୍କ ନଜରରେ ଅପରାଧ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ, ଗୋରୁ ସଂପଦ ବିଷୟରେ ଚିନ୍ତା କରିବା କିଛି ଲୋକଙ୍କ ପାଇଁ ଅପରାଧ। ଗାଈ କିଛି ଲୋକଙ୍କ ପାଇଁ ପଶୁ ହୋଇପାରେ ମାତ୍ର ଗାଈ ମା ପରି ସମାନ ଏବଂ ପୂଜନୀୟ। ଗାଈ ଏବଂ ମଇଁଷିର ଥଟ୍ଟା ପରିହାସ  କରୁଥିବା ଲୋକେ ଭୁଲି ଯାଉଛନ୍ତି ଯେ, ଦେଶର ୮ କୋଟି ଲୋକଙ୍କ ମୁହଁରେ ଦାନା ପାଣି ଦେଉଛି ଏହି ଗୋସଂପଦ।

ମୋଦୀ କହିଛନ୍ତି, ଭାରତ ବର୍ତ୍ତମାନ ବିଶ୍ଵରେ ଡାଏରୀ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦୁନିଆର ମୋଟ୍ ଉତ୍ପାଦନରୁ ୨୨ ପ୍ରତିଶତ ଦୁଗ୍ଧ ଉତ୍ପାଦନ ଭାରତରେ ହେଉଛି। ଗତ ୬-୭ ବର୍ଷ ପୂର୍ବ ତୂଳନାରେ ଦେଶରେ ବର୍ତ୍ତମାନ ଦୁଗ୍ଧ ଉତ୍ପାଦନ ୪୫ ପ୍ରତିଶତ ବୃଦ୍ଧି ଘଟିଛି । ଏଥିରେ ଉତ୍ତର ପ୍ରଦେଶର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ମୁଁ ଖୁସି ଯେ, ଆଜି ଉତ୍ତର ପ୍ରଦେଶ ଦେଶର ସବୁଠୁ ବଡ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ହୋଇ ପାରିଛି।  ଡାଏରୀ ସେକ୍ଟର ବିସ୍ତାରରେ ଦେଶ ସହିତ ୟୁପି ବହୁତ ଆଗରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ଅତୁଟ ବିଶ୍ଵାସ ଯେ, ଦେଶର ଡାଏରୀ ସେକ୍ଟର, ପଶୁପାଳନ, ଶ୍ଵେତକ୍ରାନ୍ତିରେ ନୂତନ ଉର୍ଜା, କୃଷକଙ୍କ ସ୍ଥିତି ବଦଳାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇପାରେ। ଦେଶର ଛୋଟ କୃଷକ ଯାହାଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ହେବ ସେମାନେ ପଶୁପଳନ କରି ଅତିରିକ୍ତ ଆୟ କରିପାରିବେ ବୋଲି ମୋଦୀ କହିଛନ୍ତି।

Spread the love