ଦକ୍ଷିଣ ଆଫ୍ରିକା ବିପକ୍ଷରେ କେମିତି ଜିତି ହେବ ସିରିଜ୍ ?ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ

ନୂଆଦିଲ୍ଲୀ, ୨୩/୧୨:   ନେତୃତ୍ୱ ବିବାଦ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ପହଁଚିଛି । ଉଭୟ ଦଳ ପ୍ରଥମେ ଟେଷ୍ଟ୍ ସିରିଜ ଓ ପରେ ଦିନିକିଆ ସିରିଜ ଖେଳିବେ । ଟିମ୍ ଇଣ୍ଡିଆ ଟେଷ୍ଟ ରେକର୍ଡ ଦକ୍ଷିଣ ଆଫ୍ରିକାରେ ସେତେଟା ଭଲ ନାହିଁ । ଦଳ ଏଠାରେ ଗୋଟିଏ ହେଲେ ସିରିଜ ଜିତିନାହିଁ । ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ୍ ସିରିଜ ଜିତି ଇତିହାସ ରଚିବାକୁ ଚାହିଁବ ।ସିରିଜ୍ କିପରି ଜିତିହେବ ସେନେଇ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମହାନ ଖେଳାଳି ସଚିନ ତେନ୍ଦୁଲକର ।

ସଚିନ କହିଛନ୍ତି ଯେ, ଫ୍ରଣ୍ଟ୍ ଫୁଟ୍ ଡିଫେନ୍ସ ସବୁଠାରୁ ଭଲ । ଅପ୍ ଫ୍ରଣ୍ଟ୍ ଓ ଫ୍ରଣ୍ଟ୍ ଫୁଟ୍ ଅଧିକ ଜରୁରୀ । ପ୍ରଥମ ୨୫ ଓଭରରେ ଫ୍ରଣ୍ଟ୍ ଫୁଟ୍ ଡିଫେନ୍ସରେ ଅନେକ ସମସ୍ୟା ହୋଇଥାଏ । ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଉଦାହରଣ ଦେଇ ସଚିନ କହିଛନ୍ତି ଯେ, ସେମାନେ ସୁଯୋଗର ଫାଇଦା ଉଠାଇଥିଲେ । ସବୁ ବ୍ୟାଟସମ୍ୟାନ୍ ଏପରି ଭାବେ ଖେଳିପାରିବେ । ବୋଲରମାନେ ଓ୍ୱିକେଟ୍ ନେବାକୁ ଆସିଥାନ୍ତି । କିନ୍ତୁ ତାହା ବଡ କଥା ନୁହେଁ । ଥରେ ସେଟ୍ ହେଲେ ଆଉ କିଛି ଅସୁବିଧା ହୁଏ ନାହିଁ ।

ମାଷ୍ଟର ବ୍ଲାଷ୍ଟର ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଓ ରାହୁଲ ଇଂଲଣ୍ଡ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିଲେ । କାରଣ ସେମାନେ ହାତ ଶରୀରଠୁ ଦୂରରେ ରଖି ଖେଳୁନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ହୋଇଥିଲା ବୋଲି ସଚିନ କହିଛନ୍ତି ।

ସୂଚନାଯୋଗ୍ୟ, ଆଘାତ ଜନିତ କାରଣରୁ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ରାହୁଲଙ୍କ ସହ ମୟଙ୍କ ଅଗ୍ରଓ୍ୱାଲ ଓପନିଂ କରିପାରନ୍ତି ।

Spread the love