ରାମ ମନ୍ଦିର ପାଇଁ ଲାଲ ପଥରର ନିଲାମୀ, ଗେହଲଟ ସରକାରଙ୍କୁ ୧୭ ଗୁଣ ଫାଇଦା

ଜୟପୁର ୨୩/୧୨: ଅଯୋଧ୍ୟାରେ ରାମ ମନ୍ଦିର ତିଆରି ପାଇଁ ପଥର ଯୋଗାଉଥିବା ବଂଶୀ ପାହାଡ଼ପୁର ଖଣିର ନିଲାମୀ ନିର୍ଦ୍ଧାରିତ ମୂଲ୍ୟଠୁ ୧୭ ଗୁଣା ଅଧିକ ମୂଲ୍ୟ ପାଇଛି। ୩୮ଟି ଖାଦାନ ନିଲାମ ହୋଇଥିବାରୁ ରାଜ୍ୟକୁ ୨୪୫ କୋଟିରୁ ଅଧିକ ରାଜସ୍ଵ ମିଳିଛି। ଖଣି ଓ ପେଟ୍ରୋଲିୟମ ବିଭାଗର ଅତିରିକ୍ତ ସଚିବ ସୁବୋଧ ଅଗ୍ରୱାଲ କହିଛନ୍ତି “ରାଜ୍ୟକୁ କେବଳ ଦୁଇଟି ପଥର ଖଣିରୁ ନିର୍ଦ୍ଧାରିତ ମୂଲ୍ୟଠୁ ୪୨ ଗୁଣା ଅଧିକ ଟଙ୍କା ମିଳିଛି”।

ସେ ଆହୁରି କହିଛନ୍ତି ବଂଶୀ ପାହାଡ଼ ଭଳି ସମ୍ବେଦନଶୀଳ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଯୋଗୁ ଏହି ନିଲାମ ପ୍ରକ୍ରିୟା ସମ୍ଭବ ହୋଇଛି। ରାମ ମନ୍ଦିର ପାଇଁ ଏବେ ଆଇନଗତ ପଥର ଖୋଳା ଯାଇ ରାମ ମନ୍ଦିର ଟ୍ରଷ୍ଟକୁ ଯୋଗାଇ ଦିଆଯିବ। ଏଥିପାଇଁ ପାହାଡ଼ପୁର ଅଞ୍ଚଳରେ ପାଖାପାଖି ୨୩୦ ହେକ୍ଟର ଜମିରେ ୩୯ଟି ଖଣି ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କର ଇ-ପ୍ଲାଟଫର୍ମରେ ନଭେମ୍ବର ୧୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ନିଲାମି ପ୍ରକ୍ରିୟା ଶେଷ ହୋଇଛି। ସେ “କହିଛନ୍ତି ଏହି ଭୂଖଣ୍ଡର ପ୍ରକୃତ ମୂଲ୍ୟ ୭.୯୩ କୋଟି ଟଙ୍କା ରହିଥିବା ବେଳେ ସରକାରଙ୍କୁ ଏହି ନିଲାମ ପ୍ରକ୍ରିୟାରୁ ୨୪୫.୫୪ କୋଟି ଟଙ୍କା ରାଜସ୍ୱ ପ୍ରାପ୍ତ ହେବ”।

ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି “ବଂଶୀ ପାହାଡ଼ପୁର କ୍ଷେତ୍ରର ୧୨୦ ହେକ୍ଟର ଖୋଳିବା ସ୍ଥାନକୁ ରାଜ୍ୟ ସରକାର ଷ୍ଟେଟ ମାଇନ୍ସ ଆଣ୍ଡ ମିନେରାଲ୍ସ ଲିମିଟେଡ ପାଇଁ ସଂରକ୍ଷିତ କରି ରଖିଥିଲେ। ୨୩୦.୬୪ ହେକ୍ଟର ଜାଗାରେ ୩୯ ଖଣି କରାଯାଇ ଏହାର ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜଣେ ଅଧିକାରୀ କହିଛନ୍ତି ଏହି ଆଇନଗତ ପଥର ଖୋଳା କାର୍ଯ୍ୟ ଆରମ୍ଭ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦,୦୦୦ ଲୋକ ରୋଜଗାର ପାଇବେ। ସୂଚନା ଥାଉକି ୨୦୧୬ ମସିହା ପରେ ବଂଶୀପାହାଡ଼ କ୍ଷେତ୍ରରେ ଖନନ କାମ ବନ୍ଦ ଅଛି। ବେଆଇନ ଭାବେ ଖୋଳା ଯାଇଥିବା ପଥର ଗୁଡ଼ିକ ଏବେ ବଜାରରେ ମିଳୁଛି। ସେପଟେ ରାମ ମନ୍ଦିକ ନିର୍ମାଣ କାମ ଜୋର ସୋରରେ ଚାଲିଛି। ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ମନ୍ଦିରକୁ ଜନତାଙ୍କ ଉଦ୍ଦେଶ୍ୟରେ ଖୋଲାଯିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। କିନ୍ତୁ ମନ୍ଦିର ପରିସର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ୨୦୨୫ ଶେଷ ସୁଦ୍ଧା ସରିବ ବୋଲି ଜଣା ପଡ଼ିଛି।

Spread the love