ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ: ନବୀନ

ଭୁବନେଶ୍ୱର, ୨୬/୧୨: ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ… ଓଡ଼ିଶାବାସୀଙ୍କ ଇଚ୍ଛାରେ… ଓଡ଼ିଶାର ହକ୍ ପାଇଁ…। ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀରେ ରାଜ୍ୟବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କହିଛନ୍ତି, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି । ଏହି ସଫଳତା ପଛରେ ଅଛନ୍ତି ସମୃଦ୍ଧ ଓ ଶସକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟେକ ଓଡ଼ିଶାବାସୀ । ସେମାନଙ୍କୁ ସାଥିରେ ଧରି ବିଜେଡି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରି ଚାଲିବ ।
ସେ ଆହୁରି କହିଛନ୍ତି, ୨୫ ବର୍ଷ ତଳେ ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଦିନକ ଦିନ ଆଗକୁ ବଢ଼ୁଛି ବିଜେଡି । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯାହାର ଲୋକପ୍ରିୟତା ବର୍ଷକୁ ବର୍ଷ ବଢ଼ୁଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ । ୨୦୦୦ ମସିହା ଓ ଆଜିର ଓଡ଼ିଶା ମଧ୍ୟର ବହୁତ ବଡ଼ ପରିବର୍ତ୍ତନ ଘଟିଛି । ଗରିବୀ କମ କରିବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି। ୮୦ ଲକ୍ଷ ଲୋକ ଗରିବ ସୀମାରେକ୍ଷା ଉପରକୁ ଆସିଛନ୍ତି। ଆସନ୍ତା ୫ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ। ଏଥିପାଇଁ ଯାହା ଦରକାର ଆମ ସରକାର ସମସ୍ତ ପଦକ୍ଷେପ ନେବ। ଓଡ଼ିଶା ଅନ୍ତର୍ଜାତୀୟ ପରିଚୟ ପାଇଛି। ଜାତିସଂଘ ଠାରୁ ନୀତି ଆୟୋଗ ସମସ୍ତେ ଓଡ଼ିଶାକୁ ପ୍ରଂଶସା କରିଛନ୍ତି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଇଖାଇଛି ଓଡ଼ିଶା । ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ୩ ନମ୍ବର ସ୍ଥାନରେ ଅଛି । ଏହାର ସବୁ ଶ୍ରେୟ ଆମ ଚାଷୀ ଭାଇମାନଙ୍କର। ମହିଳା ଶସକ୍ତିକରଣରେ ଓଡ଼ିଶା ଆଜି ଆଗରେ। ମାଆମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣରେ ଓଡ଼ିଶା ଆଗରେ । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମାଆ ମାନଙ୍କ ହକ୍ ପାଇଁ ଆମ ଆନ୍ଦୋଳନ ଜାରି ରହିବ । ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମାଆମାନଙ୍କୁ ଶସକ୍ତ କରିଛି । ୭୦ ଲକ୍ଷ ମାଆଙ୍କ ବିରାଟ ଆନ୍ଦୋଳନ, ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ଏସସି, ଏସଟି ଓ ଓବିସି ଭାଇ ଭଉଣୀମାନଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି ।
କରୋନା କାଳରେ ସବୁଠୁ ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି। ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ସାରା ଦେଶରେ ଏହା ସର୍ବାଧିକ । ଆମ ଯୁବପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି। କରୋନା ସମୟରେ ମାଗଣାରେ ଚିକିତ୍ସା ଯୋଗାଇଛନ୍ତି ଆମ ସରକାର । ୧୭ ରାଜ୍ୟକୁ ଆମେ ଅମ୍ଲଜାନ ଯୋଗାଇଛି। ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିଳ୍ପବ ଆଣିଛି । ସ୍କୁଲ୍ ରୂପାନ୍ତିକରଣ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ସ୍ୱାସ୍ଥ୍ୟ ହେଉ କି ଖେଳ ସବୁକ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ିଛି ।

Spread the love