ମାଟ୍ରିକ ପରୀକ୍ଷାର୍ଥୀ ପାଇବେ ସମେଟିଭ୍‌-୧ ପରୀକ୍ଷାର ଆଡମିଟ୍‌ କାର୍ଡ

ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ବା ( BSEO) ପକ୍ଷରୁ ସମେଟିଭ୍‌-୧ ପରୀକ୍ଷାର ପରିଚାଳନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରୀକ୍ଷା ପାଇଁ ମଙ୍ଗଳବାରଠୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ପାଇପାରିବେ । ଏଥିଲାଗି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡମିଡ୍‌ କାର୍ଡ ପଠାଇ ଦିଆଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପରୀକ୍ଷା ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ନେଇ ନିଜ ବିଦ୍ୟାଳୟରେ ବାଣ୍ଟି ପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ଚାହିଁଲେ ବୋର୍ଡ ୱେବସାଇଟ୍‌ରୁ ଆଡମିଡ୍‌ କାର୍ଡ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେହିପରି ନୋଡାଲ୍‌ ସେଣ୍ଟରଗୁଡ଼ିକୁ ବୁଧବାରଠାରୁ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହେବ । ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ । ଏଥିଲାଗି ସେଣ୍ଟର ଅଧିକାରୀମାନେ ପୁଲିସ୍‌ର ସହାୟତା ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ରକୁ ପୁଲିସ୍‌ ଜଗି ରହିବା ଲାଗି ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ କୋଭିଡ୍‌ କଟକଣାରେ ହେବାକୁ ଥିବା ସମେଟିଭ୍‌-୧ ପରୀକ୍ଷା ପରିଚାଳନାରେ କିପରି ସ୍ୱଚ୍ଛତା ବଜାୟ ରଖାଯିବ ସେ ନେଇ ବୋର୍ଡ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ମଧ୍ୟ ଦିଆଯାଇଛି  । ବୋର୍ଡର ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରରେ ଥିବା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁଲିସ୍‌ ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ସେଣ୍ଟର ସୁପରିଟେଣ୍ଡେଣ୍ଟ, ନୋଡାଲ୍‌ ଅଫିସର, ଡେସପାଚ୍‌ ଅଫିସରମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଥିବା ସୂଚନା ମିଳିଛି ।

ସୂଚନାଅନୁସାରେ ରାଜ୍ୟରେ ୮ ହଜାର ୯୩୧ ବିଦ୍ୟାଳୟର ୫ ଲକ୍ଷ ୭୧ହଜାର ୯୩୫ ଜଣ ୧୦ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ୩ହଜାର ୯୩ଟି କେନ୍ଦ୍ରରେ ଦେବେ ବୋଲି ଧାର୍ଯ୍ୟ ହୋଇଛି ।

Spread the love