ମିଶରୀୟ ମମ୍ମି ଖୋଲିଲେ ବୈଜ୍ଞାନିକ: ମୃତ ରାଜାଙ୍କର ଦାନ୍ତ ଓ ସରୁ ଚିବୁକ

ନୂଆଦିଲ୍ଲୀ: ସି.ଟି. ସ୍କାନ୍‌ଦ୍ବାରା ବ‌ୈଜ୍ଞାନିକମାନେ ଖ୍ରୀଷ୍ଟପୂର୍ବ ୧୫୨୫ ରୁ ୧୫୦୪ ପର୍ଯ୍ୟନ୍ତ ଶାସନ କରୁଥିବା ମିଶର ଦେଶର ଜଣେ ରାଜାଙ୍କର ମମ୍ମିକୁ ଡିଜିଟାଲ୍‌ ଭାବେ ଉନ୍ମୁକ୍ତ କରିଛନ୍ତି। ସ୍କାନରୁ ଜଣାପଡ଼ିଛି ଯେ, ମୃତ୍ୟୁ ବେଳକୁ ଫାରୋ (ରାଜା) ପ୍ରଥମ ଆମେନ୍‌ହୋଟେପ୍‌ଙ୍କୁ ୩୫ ବର୍ଷ ହୋଇଥିଲା। ସେତେବେଳେ ୧୬୯ ସେଣ୍ଟିମିଟର୍‌ ଡେଙ୍ଗା ପ୍ରଥମ ଆମେନ୍‌ହୋଟେପ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଭଲ ଥିବା ସତ୍ତ୍ବେ କୌଣସି ପ୍ରାକୃତିକ କାରଣବଶତଃ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

‘ଫ୍ରଣ୍ଟିୟର୍ସ ଇନ୍‌ ମେଡିସିନ୍‌’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ ଉପରୋକ୍ତ ଫାରୋଙ୍କର ଚେହେରା, ସ୍ବାସ୍ଥ୍ୟ, ମୃତ୍ୟୁର କାରଣ ଏବଂ ମମ୍ମିକରଣ ଶୈଳୀକୁ ଅନୁଧ୍ୟାନ କରିଥିଲେ। ସି.ଟି. ସ୍କାନ୍‌ କରି ‘ହେଡ୍‌ ମାସ୍କ୍‌’, ବ୍ୟାଣ୍ଡେଜ୍‌ର ଦୁଇ ଏବଂ ତିନି ତଳବିଶିଷ୍ଟ ଫଟୋ ଉତ୍ତୋଳନ କରି ଭର୍ଚୁଆଲ୍‌ ଭାବେ ସେମାନ‌େ ମମ୍ମିଟିକୁ ଖୋଲିଥିଲେ।
ଡିଜିଟାଲ୍‌ ଭାବେ ଖୋଲିବା ପରେ ବୈଜ୍ଞାନିକମାନେ ଦେଖିଲେ, ପ୍ରଥମ ଆମେନ୍‌ହୋଟେପ୍‌ଙ୍କର ସରୁ ଚିବୁକ, ଛୋଟ ନାକ, କୁଞ୍ଚକୁଞ୍ଚିଆ କେଶ ଏବଂ ସାମାନ୍ୟ ଆଗକୁ ବାହାରି ଆସିଥିବା ଛାମୁଦାନ୍ତ ତାଙ୍କ ବାପାଙ୍କ ଚେହେରା ସହିତ ମେଳ ଖାଉଛି। ମୃତ୍ୟୁର କାରଣ ଦର୍ଶାଇବାକୁ ବୈଜ୍ଞାନିକମାନେ ତାଙ୍କ ଶରୀରରେ ରୋଗଜନିତ କିଂବା ଅନ୍ୟ କୌଣସି କାରଣଜନିତ କ୍ଷତ ପାଇ ନ ଥିଲେ। କିନ୍ତୁ, ତାଙ୍କ ଶରୀରକୁ ବହୁବାର ବ୍ୟବଚ୍ଛେଦ କରାଯାଇଥିବା କଥା ବୈଜ୍ଞାନିକମାନ‌େ ଜାଣିପାରିଛନ୍ତି। ସେମାନଙ୍କର ମନେହୁଏ, ତାଙ୍କୁ ପ୍ରଥମେ ସମାଧି ଦିଆଯିବା ପରେ ଶ୍ମଶାନ ଡାକୁମାନେ ଏଭଳି କରିଥାଇ ପାରନ୍ତି। ମମ୍ମିକରଣ କରାଯିବା ବେଳେ ତାଙ୍କ ପୁଟି କାଢ଼ି ଦିଆଯାଇଥିଲେ ବି ମସ୍ତିଷ୍କ କି, ହୃତ୍‌ପିଣ୍ଡ କଢ଼ା ଯାଇନାହିଁ।
ପ୍ରାୟ ୨୧ ବର୍ଷ ମିଶର ଶାସନ କରିଥିବା ଫାରୋ ପ୍ରଥମ ଆମେନ୍‌ହୋଟେପ୍‌ଙ୍କ ମମ୍ମିକୁ ଲକ୍ସର୍‌ ଅନ୍ତର୍ଗତ ଡେର୍‌ ଏଲ୍‌-ବାହାରି ରୟାଲ୍‌ କ୍ୟାଚେରେ ୧୮୮୧ରେ ଆବିଷ୍କାର କରାଯାଇଥିଲା। ଡାକୁମାନଙ୍କ କବଳରୁ ନିରାପଦ ରଖିବାକୁ ଅନେକ ରାଜା ଓ ସମ୍ଭାନ୍ତଙ୍କ ମମ୍ମିଗୁଡ଼ିକୁ ଲୁଚାଇ ରଖାଯାଉଥିଲା।

Spread the love